ନୂଆଦିଲ୍ଲୀ (ରିପୋର୍ଟର୍ସ ଟୁଡେ): କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ଆଇନକୁ ବିଗତ କିଛି ମାସ ଧରି କୃଷିକ ନେତା ଓ ବିରୋଧି ଦଳ ମାନଙ୍କ ତରଫରୁ ଏହାକୁ ତୀବ୍ର ଭାବେ ବିରୋଧ ହୋଇଆସୁଛି । ସୋମବାର କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି। ଏହି ବିରୋଧରେ ରାହୁଲଙ୍କ ସହିତ ଟ୍ରାକ୍ଟରରେ ରଣଦୀପ୍ ସୁର୍ଜେଓ୍ବାଲା, ବି.ବି. ଶ୍ରୀନିବାସ, ଦୀପେନ୍ଦ୍ର ହୁଡ୍ଡାଙ୍କ ସମେତ ଅନ୍ୟ ନେତାଙ୍କୁ ଟ୍ରାକ୍ଟରରେ ବସିଥିବାର ଦେଖିବାକୁ ମିଳିଥିଲା। କୃଷି ଆଇନ ବିରୋଧ ସମୟରେ ହାତରେ ପ୍ଲା କାର୍ଡ ଧରି କଂଗ୍ରେସ ନେତା ମାନେ ବିରୋଧ କରିଥିଲେ। ଏହି ଅବସରରେ ରାହୁଲ କହିଥିଲେ ଯେ, କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ବୁଝୁ ନାହାନ୍ତି। ସରକାରଙ୍କୁ କୃଷି ଆଇନକୁ ଫେରାଇ ନେବାକୁ ପଡ଼ିବ। ଏହା ସମ୍ପୂର୍ଣ୍ଣ ଭାବେ କଳା ଆଇନ ବୋଲି ରାହୁଲ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ଜାଣିଶୁଣି ଚାଷୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ଅନ୍ନଦାତାଙ୍କୁ ଆତଙ୍କବାଦୀ କହିବା ଦୁଃଖର ବିଷୟ ବୋଲି ରାହୁଲ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଦିଲ୍ଲୀ ପୋଲିସ ପକ୍ଷରୁ ରଣଦୀପ୍ ସୁର୍ଜେଓ୍ବାଲା ଏବଂ ବି.ବି. ଶ୍ରୀନିବାସଙ୍କୁ ଅଟକ ରଖାଯାଇଛି।
କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଦୀର୍ଘ ୮ ମାସ ହେବ କୃଷକ ସଂଗଠନମାନେ ଧାରଣାରେ ବସିଛନ୍ତି । ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ କୃଷକମାନେ ସଂସଦ ଭବନ ଆଗରେ ଧାରଣାରେ ବସଛନ୍ତି । ଦିଲ୍ଲୀର ଜନ୍ତର ମନ୍ତର ଠାରେ ଦୈନିକ ୨୦୦ କୃଷକ ଧାରଣାରେ ଯୋଗ ଦେଉଛନ୍ତି । କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଧାରଣାର ନାମ ‘କିଷାନ ସଂସଦ’ ରଖିଛନ୍ତି । ଅନ୍ୟପଟେ କୃଷକଙ୍କ ଏଭଳି ନିଷ୍ପତ୍ତିକୁ ଦେଖି ସିଂଘୁ ସୀମାରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ପୁରା ଅଞ୍ଚଳକୁ ପୋଲିସ ସୁରକ୍ଷାବଳ ଭିତରେ ରଖିଥିବା ଦେଖିବାକୁ ମିଳିଛି ।