ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ନୂଆ ଡ୍ରେସ କଟକଣା ନେଇ ସେବାୟତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦ୍ର ପ୍ରଶାସନ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିପରି ଡ୍ରେସ ପିନ୍ଧିବେ ସେନେଇ ସଚେତନ କରିବାକୁ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିପରି ଡ୍ରେସ ପିନ୍ଧିବେ ସେନେଇ ସଚେତନ କରିବାକୁ ଚିଠିରେ କୁହାଯାଇଛି । ସେବାୟତମାନେ ବହୁକାଳରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହିମାର ପ୍ରଚାର ପ୍ରସାର କରି ଆସୁଛନ୍ତି । ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ସେମାନଙ୍କ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ ପାଉଛନ୍ତି ।
ସେହିପରି ହୋଟେଲ ଆସୋସିଏସନକୁ କୁହାଯାଇଛି ଯେ, ଯେଉଁ ଶ୍ରଦ୍ଧାଳୁମାନେ ହୋଟେଲରେ ରହୁଛନ୍ତି ସେମାନଙ୍କୁ ହୋଟେଲ କର୍ମଚାରୀ, ଟୁରିଷ୍ଟ ଗାଇଡଙ୍କ ଜରିଆରେ ପୋଷାକ କଟକଣା ବିଷୟରେ ସଚେତନ କରାନ୍ତୁ । ଶ୍ରୀମନ୍ଦିରର ଚିଠିରେ ଦର୍ଶାଯାଇଛି ଯେ, ପୁରୁଷମାନେ ଫୁଲ୍ ପ୍ୟାଂଟ, ସାର୍ଟ, ଚୁଡିଦାର-ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ପାରିବେ । ମହିଳାମାନେ ଶାଢୀ, ସାଲୱାର, କମିଜ ପ୍ରଭୃତି ପରିଧାନ କରି ଆସିଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇବେ । ଏନେଇ ଆସନ୍ତା ନୂଆବର୍ଷ ପର୍ଯ୍ୟନ୍ତ ସଚେତନ କରାଯିବ । ନୂଆବର୍ଷ ପରେ କଟକଣା କଡ଼ାକଡି ଭାବେ ପାଳନ କରାଯିବ ବୋଲି କୁହାଯାଇଛି ।