(ରିପୋର୍ଟସ ଟୁଡ଼େ): ସୁପ୍ରମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ଶ୍ରୀ ମନ୍ଦିର ପରିଚାଳନା ଓ ସଂସ୍କାରଗତ ମାମଲାର ଶୁଣାଣି ଆଜି ହେବ ବୋଲି ପୂର୍ବରୁ ନିର୍ଦ୍ଦାରିତ କରାଯାଇଥିଲା। ହେଲେ ଶ୍ରୀ ମନ୍ଦିର ପରିଚାଳନା ମାମଲାରେ ସୁପ୍ରିମ୍କୋର୍ଟ ନିଯୁକ୍ତି କରିଥିବା ବରିଷ୍ଠ ଆଇନଜୀବୀ ତଥା ଆମିକସ୍କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ଙ୍କ ଦେହ ଅସୁସ୍ଥ ଥିବାରୁ ମାମଲାର ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ସେ ନିବେଦନ କରିଥିଲେ। ଏହାକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ନଭେମ୍ବର ୩୦କୁ ଧାର୍ୟ୍ୟ ହୋଇଛି। ସୂଚନାଯୋଗ୍ୟ ଯେ, ଓଡ଼ିଶା ହାଇକୋର୍ଟର ଆଇନଜୀବୀ ମୃଣାଳିନୀ ପାଢ଼ୀ ଶ୍ରୀମନ୍ଦିରର ପରିଚାଳନାଗତ ସଂସ୍କାର ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଶ୍ରୀଜଗନ୍ନାଥଙ୍କ ନାଁରେ ଦାନ ଦକ୍ଷିଣା ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ୧୨ଟି ପ୍ରସ୍ତାବ କାର୍ୟ୍ୟକାରୀ କରିବାକୁ କହିଥିଲେ। ପୂର୍ବରୁ ଏହି ମାମଲା ୨ଜଣିଆ ଖଣ୍ଡପୀଠରେ ଶୁଣାଣି ହେଉଥିବା ବେଳେ ବୁଧବାର ୩ ଜଣିଆ ଖଣ୍ଡପୀଠରେ ଶୁଣାଣି ଲାଗି ଧାର୍ୟ୍ୟ ହୋଇଥିଲା।