ଭୁବନେଶ୍ୱର-: “ପୁରୀ ସାଂସଦ ନିଖୋଜ ! ନିଖୋଜ ଅଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ! ଯେଉଁ ସହୃଦୟ ବ୍ୟକ୍ତି କେଉଁଠି ଦେଖନ୍ତି ବା କିଛି ଖବର ପାଆନ୍ତି ଦୟା କରି ଭୁବନେଶ୍ୱର ରାମ ମନ୍ଦିର ନିକଟସ୍ଥ ବିଜେପି କାର୍ଯ୍ୟାଳୟ ବା ଲୋକଙ୍କ ସରକାରର ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଜଣାନ୍ତୁ ।” ଏହି କଥା ଆମେ ନୁହଁ ବରଂ କହୁଛି ପୁରୀ ସହରର ଗଳିକନ୍ଦି ରାସ୍ତା । ଏବେ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ନିଖୋଜ ପୋଷ୍ଟର ସାରା ଶ୍ରୀକ୍ଷେତ୍ରରେ ଲାଗିଛି । ସମ୍ବିତ ପାତ୍ରଙ୍କୁ ନେଇ ଏଭଳି ପୋଷ୍ଟର ଲାଗିଥିବା ବେଳେ ସୋସିଆଲ ମିଡିଆରେ ଏସବୁ ଏବେ ଖୁବ୍ ଭାଇରାଲ ହେଉଛି । ୟୁଜର୍ସମାନେ ଉକ୍ତ ଫଟୋକୁ ସେୟାର କରି ସରକାରଙ୍କୁ ସମାଲୋଚନା ସହ ସମ୍ବିତ ପାତ୍ରଙ୍କୁ କଟାକ୍ଷ କରିଥିବା ଦେଖିବାକୁ ମିଳିଛି ।
କାରଣ ଏହିବର୍ଷ ରଥଯାତ୍ରାରେ ହୋଇଥିବା ଅଘଟଣ ପରେ ସମ୍ବିତ ପାତ୍ରଙ୍କୁ ପୁରୀରେ ଦେଖିବାକୁ ମିଳୁନି । ଯେଉଁ ସମ୍ବିତ ପାତ୍ର ସବୁଥିରେ ସବୁ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଥିଲେ ହେଲେ ହଠାତ୍ ଏମିତି କଣ ହେଲା ଯେ ଆଉ ସମ୍ବିତ ପାତ୍ରଙ୍କୁ ପୁରୀରେ ଦେଖିବାକୁ ମିଳୁନି ବୋଲି ଏବେ ଚର୍ଚ୍ଚା ହେଉଛି ।
ଚଳିତ ରଥଯାତ୍ରାରେ ସାଂସଦ ସମ୍ବିତ ପାତ୍ର ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ରଥଯାତ୍ରା ଦିନ ସେ ମହାପ୍ରଭୁଙ୍କ ପହଣ୍ଡି ଠାରୁ ଆରମ୍ଭ କରି ରଥଟଣା ଯାଏଁ ସେ ଉପସ୍ଥିତଥିଲେ । ନନ୍ଦିଘୋଷ ରଥ ଆଗରେ ଫଟୋ ଉଠାଇଥିଲେ, ଶ୍ରଦ୍ଧାଳୁଙ୍କ ସହ ହାତ ମିଳାଇ ସେମାନଙ୍କ ସହ କଥା ହୋଇଥିଲେ, ସେଲ୍ଫି ଉଠାଇଥିଲେ, ନୃତ୍ୟଶିଳ୍ପୀଙ୍କ ସହ ବି କିଛି ମୁହୂର୍ତ୍ତ ବିତାଇଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଖାଲି କଣ ସେତିକି ଉତ୍କଳ ପ୍ରସଙ୍ଗ ଉନ୍ମୋଚନ ଠାରୁ ବଡଦାଣ୍ଡରେ ସେବା ଯୋଗାଉଥିବା ସ୍ବେଛାସେବୀଙ୍କ ସହ ଫଟୋ ଉଠାଇଥିଲେ । ହେଲେ ରବିବାର ବଡି ଭୋରରୁ ଘଟିଥିବା ଅଘଟଣ ପରେ ସମ୍ବିତ ପାତ୍ର ନ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ନ ତାଙ୍କୁ ଅଘଟଣ ସ୍ଥାନରେ ଦେଖିବାକ ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି ହଠାତ୍ ଏମିତି କଣ ହେଲା ଯେ ଆଉ ସମ୍ବିତ ପାତ୍ରଙ୍କୁ ପୁରୀରେ ଦେଖିବାକୁ ମିଳୁନି ? ଏବଂ କିଏ ଏହି ପୋଷ୍ଟର ସବୁ ପୁରୀର ଗଳିକନ୍ଦିରେ ମାରିଛି ?