ହିଞ୍ଜିଳି (ରଜନୀ କାନ୍ତ ପାତ୍ର): କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ଡ଼ାକରାରେ ସାରା ଭାରତ ଶ୍ରମିକଙ୍କ ଧର୍ମଘଟ ଉପଲକ୍ଷେ ଏଆଇୟୁଟିୟୁସି ସହ ବନ୍ଧିତ ଓଡିଶା ମିଳିତ ପାଚିକା ସହାୟିକା ସଂଘ ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ ରାଲି କରାଯାଇଛି । ସ୍ଥାନୀୟ ଖଲ୍ଲିକୋଟ କଲେଜ ନିକଟରୁ ଏକ ଶୋଭାଯାତ୍ରା ଯାଇ ବ୍ରହ୍ମପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ସହିତ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସ୍କିମ ଶ୍ରମିକ ବିଶେଷ କରି ପାଚିକା ମାନଙ୍କର ଅବସ୍ଥା କରୋନା କାଳରେ ଦୁର୍ବିସହ ହୋଇପଡିଛି । ଏଣୁ ଏ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ସର୍ବନିମ୍ନ ମାସିକ ମଜୁରୀ ୨୧ ହଜାର ଟଙ୍କା ପ୍ରଦାନ କରିବା ସହିତ ୨୮ ମାସର ବର୍ଦ୍ଧିତ ବକେୟା ପାଇବାକୁ ଥିବା ପାଚିକା ମାନଙ୍କର ନାମର ତାଲିକା ଘୋଷଣା କରିବା, ପ୍ରତିଶ୍ରୁତି ମୁତାବକ ୨୦୧୮ ଏପ୍ରିଲ ଠାରୁ ମାସିକ ଦୁଇ ହଜାର ଟଙ୍କା ପ୍ରଦାନ କରିବା, ପ୍ରତି ମାସ ନିୟମିତ ଦରମା ପ୍ରଦାନ କରିବା, ମଧ୍ୟାହ୍ନ ଭୋଜନ କାମ ବ୍ୟତୀତ ପାଚିକା ମାନଙ୍କୁ ଅନ୍ୟାନ୍ୟ କାମରେ ନିୟୋଜିତ କରା ନକରିବା ଇତ୍ୟାଦି ଦାବି ହୋଇଛି । ଏହା ସହ ପାଚିକା ମାନଙ୍କୁ ବର୍ଷକୁ ଦୁଇ ହଳ ଶାଢ଼ୀ ପ୍ରଦାନ କରିବା, ସ୍କୁଲ ବନ୍ଦ, ମିଶ୍ରଣ, ୬୦ବର୍ଷ ଓ ପିଲା ସଂଖ୍ୟା କମ ପାଇଁ ବାଦ ପଡ଼ିଥିବା ପାଚିକାଙ୍କୁ ପୁନଃ ନିଯୁକ୍ତି ଦେବା, ସରକାରଙ୍କ ଘୋଷିତ ୧୪,୩୭୯ ସ୍କୁଲ ବନ୍ଦ ନିଷ୍ପତ୍ତି ଅବିଳମ୍ବେ ବାତିଲ କରିବା, ୬୦ ବର୍ଷ ପରେ ପେନସନ ଯୋଜନା ଲାଗୁ କରିବା, ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ କରିବା, ଦୁର୍ଘଟଣା ଜନିତ ଚିକିତ୍ସା ସହାୟତା, ବିମା, ଛୁଟି ନେବାର ବ୍ୟବସ୍ଥା କରିବା, ଶ୍ରମିକ ବିରୋଧୀ ଶ୍ରମିକ କୋଡ ବାତିଲ କରିବା ଆଦି ଦାବିରେ ଏକ ଦାବିପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହା ସହିତ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏଆଇୟୁଟିୟୁସି ତରଫରୁ ସୋମନାଥ ବେହେରା, ଓଡିଶା ମିଳିତ ପାଚିକ ସହାୟିକା ସଂଘ, ଗଞ୍ଜାମ ଜିଲ୍ଲା ଉପସଭାପତି ପପୁନ ସାହୁଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।