ପ୍ରତିଷ୍ଠିତ ଲେଖକ ଜେଫ୍ରୀ ଆର୍ଚରଙ୍କ ପରଲୋକ

 ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ବ୍ରିଟିଶ ଲେଖକ ତଥା ପୂର୍ବତନ ରାଜନେତା ଜେଫ୍ରୀ ଆର୍ଚରଙ୍କ ପରଲୋକ ଘଟିଛି।  ୮୬ ବର୍ଷ ବୟସରେ ସେ ନିଜର ଲଣ୍ଡନ ସ୍ଥିତ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।  ‘ଆର୍ଚରଙ୍କ ମୃତ୍ୟୁ ଖବରକୁ ତାଙ୍କ ପବ୍ଲିଶର ହାର୍ପରକଲିନ୍ସ ପକ୍ଷରୁ ମଧ୍ୟ ନିଶ୍ଚିତ କରାଯାଇଛି।

ଦୀର୍ଘ ୫ ଦଶନ୍ଧି ଧରି ଆର୍ଚରଙ୍କ ଦ୍ୱାରା ଲେଖାଯାଇଥିବା ପ୍ରାୟ ୩୦୦ ମିଲିୟନ ବହି ବିକ୍ରି ହୋଇଛି। ବ୍ରିଟେନରେ ତାଙ୍କ ଛଡ଼ା ଆଉ କୌଣସି ଲେଖକଙ୍କ ଏତେ ବହି କେବେ ବି ବିକ୍ରି ହେବାର ନଜିର ନାହିଁ। କେନ୍ ଆଣ୍ଡ୍ ଏବଲ୍’ ଓ ‘ଦ କ୍ଲିଫ୍ଟନ୍ କ୍ରୋନିକଲ୍ସ’ ଭଳି ଉପନ୍ୟାସ ପାଇଁ ଆର୍ଚର ବେଶ ପରିଚିତ ଥିଲେ। ତାଙ୍କର ଶେଷ ଉପନ୍ୟାସ ‘ଆଡମ୍ ଆଣ୍ଡ୍ ଇଭ୍’ ଅକ୍ଟୋବର ୬ ଅର୍ଥାତ ଆଜି ପ୍ରକାଶ ପାଇବାକୁ ଥିଲା। ଶନିବାର ଚେଲ୍ଟେନହାମ୍ ଫେଷ୍ଟିଭାଲରେ ଆର୍ଚର ଯୋଗଦେଇ ଏହି ବହି ବିଷୟରେ ଆଲୋଚନା କରି ଥାଆନ୍ତେ। କିନ୍ତୁ ଏବେ ସବୁ କିଛି ଅଧାରେ ରହି ଯାଇଛି।