ସମ୍ବଲପୁର: ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୬୮ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ କରିବା ସହିତ ଜନସାଧାରଣଙ୍କୁ ସମ୍ବୋଧନ କରିବେ ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପ୍ଲାଇନ୍ ପ୍ରକଳ୍ପର ୪୧୨ କିଲୋମିଟର ବିଶିଷ୍ଟ ଧାମରା-ଅନୁଗୁଳ ପାଇପ୍ଲାଇନ୍ ସେକ୍ସନକୁ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଅଧୀନରେ ୨ ହଜାର ୪୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ୍ ଗ୍ରିଡ୍ ସହ ସଂଯୋଗ କରିବ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୨୮ ହଜାର ୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ୍ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏଥିରେ ସୁନ୍ଦରଗଡ଼଼ର ଏନ୍.ଟି.ପି.ସିର ୨ଟି ୮ ଶହ ମେଗାୱାଟ୍ ବିଶିଷ୍ଟ ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ ଏବଂ ଏନସିପିସିଏଲ ରାଉରକେଲା ପି.ପି.-ଟୁ’ର ୨୫୦ ମେଗାୱାଟ୍ ବିଶିଷ୍ଟ ପରିବର୍ଦ୍ଧିତ ପ୍ରକଳ୍ପ ରହିଛି। ସେହିଭଳି ପ୍ରଧାନମନ୍ତ୍ରୀ ଏନ୍ଟିପିସି ତାଳଚେର ଥର୍ମାଲ ପାୱାର ଷ୍ଟେଜ୍-୩ ପ୍ରକଳ୍ପର ୬୬୦ ମେଗାୱାଟ୍ ବିଶିଷ୍ଟ ୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟକୁ ଶସ୍ତାରେ ବିଦ୍ୟୁତ୍ ଯୋଗାଣ କରିବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ୨୭ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ୍ କର୍ପୋରେସନର ତଲାବିରା ତାପଜ ବିଦ୍ୟୁତ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ଅତ୍ୟାଧୁନିକ ପ୍ରକଳ୍ପ ଦେଶର ଶକ୍ତି ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହ ସୁଲଭ ମୂଲ୍ୟରେ ୨୪ ଘଣ୍ଟିଆ ଶକ୍ତି ପ୍ରଦାନ କରିବ।