କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବୁରୁପଡା ଭଗବତୀ ବିଦ୍ୟାପୀଠର ୫-ଟି ପଦ୍ଧତିରେ ନିର୍ମିତ ସ୍ମାର୍ଟ ଶୌଚାଳୟର ଟାଇଲ ଖଣ୍ଡ ଖସିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି। ଏଭଳି ନିମ୍ନ ମାନର କାର୍ୟ୍ୟ ବିରୋଧରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ହିଞ୍ଜିଳିକାଟୁ ଯୁବ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡକାଇ ଘଟଣା ସମ୍ପର୍କରେ ବିଷେଦଗାର କରାଯାଇଛି । ବିକାଶ ମୁଳକ କାର୍ଯ୍ୟ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା କାହାର ପୈତୃକ ସମ୍ପତ୍ତି ନୁହେଁ, ବରଂ ବିଦ୍ୟାଳୟ ରୂପାନ୍ତରଣରେ ରାଜ୍ୟବାସୀଙ୍କ ଟିକସ ଟଙ୍କା ଖର୍ଚ୍ଚ ହେଉଛି, ତେଣୁ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀ ମାନେ ଉନ୍ନୟନ କାର୍ଯ୍ୟରେ ସଚ୍ଚୋଟତା ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଛନ୍ତି ଯୁବ କଂଗ୍ରେସ ନେତା କହ୍ନେୟାଲାଲ ସାବତ ।

            ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସମସ୍ତ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକୁ ବିଗତ ଦିନରେ ନିଜେ ଜିଲ୍ଲାପାଳ ବାରମ୍ବାର ଗସ୍ତ କରି ତଦାରଖ କରୁଥିଲେ ସୁଦ୍ଧା ଏଭଳି ନିମ୍ନ ମାନର କାର୍ଯ୍ୟ କିଭଳି ସମ୍ଭବ ହୋଇପାରିଲା ବୋଲି ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷାର ବିକାଶ ପାଇଁ ୫-ଟି ସୁତ୍ରରେ ନିର୍ମାଣ ହେଉଥିବା ବିଦ୍ୟାଳୟ ରୂପାନ୍ତରଣକୁ ସ୍ୱାଗତ କରିବା ସହିତ ବୁରୁପଡା ବିଦ୍ୟାଳୟରେ ହୋଇଥିବା ନିକୃଷ୍ଟ କାର୍ଯ୍ୟର ସବିଶେଷ ଯାଞ୍ଚ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଯଦି ଏହି ଦାବିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଏ, ତାହେଲେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ କାର୍ୟ୍ୟାଳୟ ଘେରାଉ କରାଯିବା ସହିତ ଆନ୍ଦୋଳନ ଜାରି ରହିବ। ଯୁବ କଂଗ୍ରେସ ନେତା ଶ୍ରୀ ସାବତଙ୍କ ସହ ମନୋଜ କୁମାର ଗୌଡ଼, ଶ୍ରୀକାନ୍ତ ପରିଡା, ବୁଲୁ ନାୟକ ଓ ବିକ୍ରମ ବେହେରା ଉପସ୍ଥିତ ଥିଲେ।