ଗୋପ(ଜୟନ୍ତ କୁମାର ସେଠୀ): ପିପିଲି ଉପ ନିର୍ବାଚନ ମତଦାନ ନିମନ୍ତେ ଆସନ୍ତା ୨୮ ତାରିଖରେ ପୋଲିଂ ପାର୍ଟି ସେମାନଙ୍କ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ଏଥି ପାଇଁ ପେଣ୍ଠକଟା ସ୍ଥିତ ଓୟାରର ହାଉସଠାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହାର ସମୀକ୍ଷା କରିଛନ୍ତି । ପୋଲିଂ ପାର୍ଟିଙ୍କ ସୁବିଧା ନିମନ୍ତେ ୧୦ଟି କାଉଣ୍ଟରର ବ୍ୟବସ୍ଥା କରାଯିବା ସହ ସୂଚନା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ ଓ ଅଗ୍ନିଶମ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ସୁମନ୍ତ କର, ଆସିଷ୍ଟାଣ୍ତ କମାଣ୍ତାଟ ଜିତେନ୍ଦ୍ର କୁମାର ଦେହୁରୀ, ତହସିଲଦାର ଓ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ ।
ଆସନ୍ତା ୩୦ ତାରିଖରେ ମୋଟ ୩୪୮ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ତେବେ ଏଥିରେ ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତଦାନ କରିବେ । ଏହାପରେ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । କୋଭିଡ କଟକଣାକୁ କଡାକଡି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ବ୍ୟବସ୍ଥା କରାଯାଇଛି ।