ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ଵର: ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଗତକାଲି ପୁଣି ଥରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଭୁବନେଶ୍ବରର ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଗତକାଲି ସନ୍ଧ୍ୟା ୫ଟା ୧୫ରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଅନ୍ୟପଟେ ବିରୋଧୀଦଳ ନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ତାଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି । ତେବେ ହସ୍ପିଟାଲରୁ ଆସିବା ପରେ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ‘ଡିହାଇଡ୍ରେସନ୍ ଯୋଗୁଁ ତାଙ୍କୁ ହସ୍ପିଟାଲ୍‌ ଅଣାଯାଇଛି । ବର୍ତ୍ତମାନ ସେ ICUରେ ଅଛନ୍ତି, ବିଶ୍ରାମ ନେଉଥିଲେ । ନବୀନଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହ ଆଲୋଚନା କଲୁ । ବର୍ତ୍ତମାନ ଏୟାରଲିଫ୍ଟ କି ସ୍ଥାନାନ୍ତର କରିବାର ପରିସ୍ଥିତି ଆସିନାହିଁ । ବେଷ୍ଟ ଟ୍ରିଟମେଣ୍ଟ ଯୋଗାଇ ଦେବାକୁ କୁହାଯାଇଛି, ସରକାର ମଧ୍ୟ ନଜର ରଖିଛନ୍ତି ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ । ଅନ୍ୟପଟେ ମେଡିକାଲ ଶର୍ଯାରୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ‘ମୁଁ ସୁସ୍ଥ ଅଛି’ ବୋଲି କହିଛନ୍ତି। ସେ ସୁସ୍ଥ ଥିବା ନେଇ ଏକ ଭିଡିଓ‌ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ନବୀନଙ୍କ ଏହି ବାର୍ତ୍ତା ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ତାଙ୍କର ସମର୍ଥକ ଓ ପ୍ରଶଂସକଙ୍କ ନିକଟରେ ଖୁସିର ମହଲ ଦେଖାଯାଇଛି।