ଭୁବନେଶ୍ୱର:- ଆକ୍ସନ ମୋଡ୍ରେ ବାଣୀବିହାର କର୍ତ୍ତୃପକ୍ଷ । ବାଣୀବିହାର ହଷ୍ଟେଲରୁ ହଟିଲେ ଅଣଛାତ୍ର । ଅଚାନକ ରେଡ୍ କରି ଅଣଛାତ୍ରଙ୍କୁ ବିଦାକଲା ପୋଲିସ । ବାଣୀବିହାରର ବିଭିନ୍ନ ଛାତ୍ରବାସକୁ କବଜା କରିଥିବା ଅଣଛାତ୍ରଙ୍କୁ ଖୋଜି ଖୋଜି ବାହାର କରିଛି ପୋଲିସ । ଆଜି ଦିନ ୧୦ଟା ୩୦ରୁ ବାଣୀବିହାରର ଛାତ୍ରବାସ ଗୁଡିକରେ ଆରମ୍ଭ ହୋଇଥିଲା ଅପରେସନ ବ୍ଲୁଷ୍ଟାର । ଅଣଛାତ୍ରଙ୍କୁ ହଟାଇ ୩ ନମ୍ବର ହଷ୍ଟେଲକୁ ସୋମବାର ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ହଷ୍ଟେଲର ମରାମତି ପରେ ଛାତ୍ରଙ୍କୁ ରୁମ୍ ଆଲ୍ଟମେଣ୍ଟ କରାଯିବ ବୋଲି ସୂଚନା ମିଳିଛି ।
ଏପରିକି ୨ ନମ୍ବର ହଷ୍ଟେଲର ୨୫ ରୁମ ଏବଂ ୧ ନମ୍ବର ହଷ୍ଟେଲର ୧୯ ରୁମ ସିଲ୍ କରାଯାଇଛି । ସେହିପରି ୧ ନମ୍ବର ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନକୁ ମଧ୍ୟ ସଲ୍ କରାଯାଇଥିବା ଜଣାପଡିଛି । ଏଣିକି ପୋଲିସ ହଷ୍ଟେଲ ଜଗିବେ । ଆଇକାର୍ଡ ଦେଖାଇ ପିଲା ଭିତରକୁ ଯିବେ ବୋଲି ଜଣାପଡିଛି । ଅଣଛାତ୍ରଙ୍କୁ ବିଦା କରିବା ପାଇଁ ଛାତ୍ରାବାସଗୁଡିକରେ କମିଶନରେଟ ପୋଲିସ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଥିଲା । ଚଢାଉ ବେଳେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଅଣଛାତ୍ରଙ୍କ କବଜାରେ ଥିବା ରୁମ୍ଗୁଡିକର ତାଲା ଭାଙ୍ଗି ସିଲ୍ କରାଯାଇଥିଲା । ଏନେଇ ୟୁନିଭର୍ସିଟି କ୍ୟାମ୍ପସ ଭିତରେ ଏକକାଳୀନ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ୫ଜଣ ଏସିପି, ୪ଜଣ ଆଇଆଇସି ଏବଂ ୧୩ ଏସଆଇ ଅଧିକାରୀଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା।