ଢେଙ୍କାନାଳ-: ଚୋରି, ରାହାଜାନି, ଡକାୟତି ସହିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା କାମାକ୍ଷାନଗର ‘କିଙ୍ଗ୍ ଅଫ୍ ଫରେଷ୍ଟ୍’ ଗ୍ୟାଙ୍ଗର କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ୍ ହଣ୍ଡକୁ ଆଜି ପୁଲିସ ଏନ୍କାଉଣ୍ଟର୍ କରିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର କଇଁଆଗଡ଼ାଣି ସାଉଁଳିଆ ଜଙ୍ଗଲ ନିକଟରେ ଭୋର୍ରୁ ପୋଲିସ ଏହି ଏନ୍କାଉଣ୍ଟର୍ କରିଥିଲା । ପୁଲିସ ଉପରକୁ ଗୁଳି ଚଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ଦେବାଶିଷ । ତାକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଦେବାଶିଷର ସହଯୋଗୀ ଲିପୁନ ସାସମଲ ଚମ୍ପଟ ମାରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ଓ ବମ୍ ସ୍ଵାର୍ଡ ପହଞ୍ଚି ତଦନ୍ତ କରିବା ସହ ଏନକାଉଣ୍ଟର ସ୍ଥଳରୁ ଦେଶୀ ପିସ୍ତଲ, ଖୋକା ଜବତ ହୋଇଛି । ପୋଲିସ ସୂଚନା ଅନୁଯାୟୀ, କାମାକ୍ଷାନଗର ଗୋରୁହାଟକୁ ଦେବାଶିଷ ବେହେରାର ବାପା ଗତବର୍ଷ ଦେଢ଼ ଲକ୍ଷ ଟଙ୍କାରେ ନିଲାମ ନେଇଥିଲେ । ଚଳିତବର୍ଷ ‘କିଙ୍ଗ୍ ଅଫ୍ ଫରେଷ୍ଟ’ ଗ୍ୟାଙ୍ଗର ସୁବାସ ଖୁଣ୍ଟିଆର ବାପା ଏହାକୁ ୭ ଲକ୍ଷ ଟଙ୍କାରେ ନିଲାମ ନେଇଛନ୍ତି । ଗୋରୁହାଟ ନିଲାମକୁ ନେଇ ଦେବାଶିଷ ଓ ସୁବାସ ପରସ୍ପରର ବିରୋଧୀ ହୋଇ ଯାଇଥିଲେ ।