ଆତଙ୍କବାଦୀଙ୍କୁ କଳ୍ପନାରୁ ବଡ଼ ଦଣ୍ଡ ମିଳିଛି: ପ୍ରଧାନମନ୍ତ୍ରୀ ମୋଦି !

ନୂଆଦିଲ୍ଲୀ: ସଂସଦରେ ‘ଅପରେସନ୍ ସିନ୍ଦୂର’ ବଡ଼ ବିତର୍କ। ଭରା ସଭାରେ କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ ସିନ୍ଦୂର’ ବିତର୍କରେ ସଂସଦରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସଂସଦ ହେଉଛି ଭାରତର ଗୌରବ ଗାନ କରିବାର କ୍ଷେତ୍ର । ମୁଁ ଆଜି ଭାରତର ପକ୍ଷ ରକ୍ଷା କରିବା ପାଇଁ ଛିଡ଼ା ହୋଇଛି । ଯେଉଁମାନଙ୍କୁ ଭାରତର ପକ୍ଷ ଦଶୁନି ସେମାନଙ୍କୁ ଆଇନା ଦେଖାଇବି । ୧୪୦ କୋଟି ଦେଶବାସୀଙ୍କ ଭାବନା ସହ ସ୍ବର ମିଳାଇବାକୁ ଛିଡ଼ା ହୋଇଛି । ଗତ ଏପ୍ରିଲ ୨୨ରେ ପହେଲଗାମରେ ଆତଙ୍କୀ ଧର୍ମ ପଚାରି ପର୍ଯ୍ୟଟକଙ୍କୁ ମାରିଲେ । ଏହା ନିଷ୍ଠୁରତାର ଚରମ କାର୍ଯ୍ୟ ଥିଲା ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମର ସଂକଳ୍ପ ଥିଲା ଆତଙ୍କୀଙ୍କୁ ମାଟିରେ ମିଶାଇବୁ । କଳ୍ପନା ଠାରୁ ଅଧିକା ସଜା ଦେବୁ । ଆଉ ତାହା କରି ଦେଖାଇଲୁ । ୬ ମଇ ରାତିରେ ୨୨ ମିନିଟ୍‌ରେ ୨୨ ଏପ୍ରିଲର କଡା ଜବାବ ଦେଲୁ । ପୂର୍ବରୁ ଅନେକ ଥର ପାକିସ୍ତାନ ସହ ମୁକାବିଲା ହୋଇଛି । ମାତ୍ର ଏଥର ଥିଲା ଅଲଗା । ଏଥର କେବଳ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍‌ କରିଥିଲୁ । ଏପରିକି ପାକିସ୍ତାନର ନ୍ୟୁକ୍ଲିୟର ଧମକକୁ ମିଛ ସାବ୍ୟସ୍ତ କରି ଦିଆଗଲା । କିନ୍ତୁ ଦୁଃଖର ବିଷୟ ଯାହା ପାକିସ୍ତାନ କରିବା କଥା ତାହା ଏବେ କଂଗ୍ରେସ କରୁଛି । ମେ ୯ରେ ପ୍ରାୟ ହଜାରେ ମିଜାଇଲ୍‌ ଓ ଡ୍ରୋନ୍ ଫିଙ୍ଗିଲା ପାକିସ୍ତାନ । ଭାରତର ଏୟାର୍ ଡିଫେନ୍ସ ମଝି ଆକାଶରେ ହିଁ ସେସବୁକୁ ଶେଷ କରିଦେଲା ।

କଂଗ୍ରେସକୁ ଟାର୍ଗେଟ୍ କରି ମୋଦି ଆହୁରି କହିଛନ୍ତି, କଂଗ୍ରେସ କାଳରେ ସେନାକୁ ଆତ୍ମନିର୍ଭର କରିବାକୁ ଚେଷ୍ଟା କରାଗଲାନି । ପ୍ରତିରକ୍ଷା ଚୁକ୍ତି ବେଳେ ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରାଥମିକତା ଦେଲେ । ପ୍ରତିରକ୍ଷାକୁ ସୁଦୃଢ଼ କରିବାକୁ ଘରୋଇ ଉଦ୍ୟୋଗକୁ ଅନୁମତି ଦେଇଛୁ । ଅପରେସନ୍ ସିନ୍ଦୂରରେ ସ୍ୱଦେଶୀ ଜ୍ଞାନକୌଶଳ ହିଁ ସଫଳତା ଆଣିଛି ବୋଲି କହିଛନ୍ତି ମୋଦି । ସ୍ୱାଧୀନତା ପରେ ପ୍ରଥମ କରି ସିଡିଏସ୍‌ ପଦବୀ ସୃଷ୍ଟି କରି ସମନ୍ୱୟ ଆଣିଛୁ । PoK କବ୍‌ଜା କରିବା ସୁଯୋଗ କଂଗ୍ରେସ ହାତଛଡ଼ା କରିଥିଲା । ୧୯୭୧ ଯୁଦ୍ଧରେ ପାକିସ୍ତାନର ୯୩ ହଜାର ଯବାନ ଆତ୍ମସମର୍ପଣ କରିଥିଲେ । ପ୍ରାୟ ୧ ହଜାର କି.ମି ପର୍ଯ୍ୟନ୍ତ ଭାରତୀୟ ସେନା ଭିତରେ ପ୍ରବେଶ କରିଥିଲେ । ଯଦି କଂଗ୍ରେସ ସରକାର ଟିକେ ଚିନ୍ତା କରିଥାନ୍ତା ତେବେ PoK ଭାରତକୁ ଆସିଥାନ୍ତା । ମାତ୍ର ସେତେବେଳେ PoKକୁ ନେଇ କିଛି ପ୍ରସ୍ତାବ ରଖି ନ ଥିଲା କଂଗ୍ରେସ ବୋଲି କହିଛନ୍ତି ମୋଦି ।

ପହଲଗାମ ଆକ୍ରମଣ ପରେ, ଆମେ ସିସିଏସର ଏକ ବୈଠକ ଡାକି ନିଷ୍ପତ୍ତି ନେଇଛୁ ଯେ ଆତଙ୍କବାଦକୁ ଉଚିତ ଜବାବ ଦିଆଯିବା ଆବଶ୍ୟକ ଏବଂ ଏହା ଆମର ଜାତୀୟ ସଂକଳ୍ପ । ଏହା ମଧ୍ୟ ଆଲୋଚନା ହୋଇଛି ଯେ କେବେ, କେଉଁଠି ଏବଂ କିପରି ଆକ୍ରମଣ କରାଯିବ ସେନେଇ ନିଜେ ନିଷ୍ପତ୍ତି ନେବା ଉଚିତ ବୋଲି କହିଛନ୍ତି ମୋଦି ।