ଜାମିଆର କବରସ୍ଥାନରେ ଦାନିଶି ସିଦ୍ଦିକଙ୍କ ହେବ ଅନ୍ତିମ ସଂସ୍କାର, ପ୍ରୋଟୋକଲ୍ ଭାଙ୍ଗି ମଞ୍ଜୁରୀ ଦେଲେ କୁଳପତି

ନୂଆଦିଲ୍ଲୀ ୧୮।୦୭: ଜାମିଆ ଇସଲାମିଆ ବିଶ୍ଵ ବିଦ୍ୟାଳୟରେ ହେବ ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ତଥା ପୁଲଟିଜର ବିଜେତା ଦାନିଶ ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର। ଆଫଗାନିସ୍ତାନରେ ତାଲିବାନ ଆକ୍ରମଣରେ ଦାନିଶ ସିଦ୍ଦିକଙ୍କ ମୃତ୍ୟୁ ଘଟିଥିଲା। ଏହି ବିଷୟରେ ସୂଚନା ଦେଇଛି ଜାମିଆ ଇସଲାମିଆ ବିଶ୍ଵ ବିଦ୍ୟାଳୟ। କୂଳପତି ପ୍ରୋଟୋକଲ ଭାଙ୍ଗି ଦାନିଶଙ୍କ ଜାମିଆରେ କବର କରାଯିବାକୁ ମଞ୍ଜରୁୀ ଦେଇଛନ୍ତି।

ସାଧାରଣତଃ କବରସ୍ଥାନ ଜାମିଆର କର୍ମଚାରୀ, ତାଙ୍କ ପତ୍ନୀ କିମ୍ବା ସ୍ଵାମୀ କିମ୍ବା ନାବାଳକ ପିଲାଙ୍କ ପାଇଁ ସଂରକ୍ଷିତ ରଖାଯାଇଥାଏ। ସିଦ୍ଦିକି ଏହି ବିଶ୍ଵ ବିଦ୍ୟାଳୟର ଛାତ୍ର ଥିଲେ। ସେ ଏକ ସମାଚାର ଏଜେନ୍ସି ପାଇଁ କାମ କରୁଥିଲେ। କୁଳପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ସିଦ୍ଦିକିଙ୍କ ପରିବାରଙ୍କ ଅନୁରୋଧକ୍ରମେ ଦାନିଶଙ୍କ ପାର୍ଥିବ ଶରୀର ଜାମିଆର କବରସ୍ଥାନରେ ଅନ୍ତିମ ସଂସ୍କାର କରାଯିବ।

ସିଦ୍ଦିକିଙ୍କ ଜାମିଆ ବିଶ୍ଵ ବିଦ୍ୟାଳୟରେ ବହୁ ପୁରାତନ ସଂପର୍କ ରହିଛି। ତାଙ୍କ ବାପା ମହମ୍ମଦ ଅଖତର ସିଦ୍ଦିକି ମଧ୍ୟ ଏହି ବିଶ୍ଵ ବିଦ୍ୟାଳୟରେ ଏଜୁକେସନ ବିଭାଗର ପ୍ରଫେସର ଥିଲେ ଏବଂ ଜାମିଆ ନଗରରେ ରହୁଥିଲେ। ସିଦ୍ଦିକି ମଧ୍ୟ ନିଜେ ଜାମିଆର ଛାତ୍ର। ସେ ବିଶ୍ଵ ବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକ ଏବଂ ସାମ୍ବାଦିକତାରେ ସ୍ନାତକତ୍ତୋର(ପିଜି) କରିଥିଲେ।

ଭିସି ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର ଜାମିଆରେ କରିବାକୁ ଅନୁମତି ଦେବା ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି। ପୂର୍ବତନ ମନ୍ତ୍ରୀ ପି ଚିଦାମ୍ବରମ ଟ୍ଵିଟ୍ ମାଧ୍ୟମରେ ସରକାରଙ୍କୁ ହମଲା କରି କହିଛନ୍ତି ଯେ, ଦାନିଶି ସିଦ୍ଦିକିଙ୍କ ଦୁଃଖଦ ମୃତ୍ୟୁ ଏବଂ ମହଙ୍ଗା ବିଷୟରେ ବିଜେପି କିମ୍ବା ଏନଡିଏ ପକ୍ଷରୁ କୌଣସି ଟିପ୍ପଣୀ ଆସିବ ନାହିଁ। କାରଣ ଏହି ଦୁଇଟି ମାମଲା ସରକାରଙ୍କ ମିଥ୍ୟା ଅପ୍ରଚାରରକୁ ସୁହାଉନାହିଁ।

ସୂଚନାଯୋଗ୍ୟ, ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକିଙ୍କ ଆଫଗାନିସ୍ତାନରେ ସୁରକ୍ଷାବଳ ଓ ତାଲିବାନ ଆତଙ୍କବାଦୀଙ୍କ ସଂଘର୍ଷ ସମୟରେ ମୃତ୍ୟୁ ଘଟିଥିଲା। ସେ କରୋନାକାଳରେ ଏମିତି ଅନେକ ଫଟୋ ନିଜ କ୍ୟାମେରାରେ କଏଦ କରିଥିଲେ, ଯାହାକୁ ଦେଖି ଦୁନିଆ ସ୍ତବ୍ଧ ହୋଇ ଯାଇଥିଲା। ସେ ଗତ ଅନେକ ବର୍ଷ ଧରି ଆଫଗାନିସ୍ତାନରେ ରହୁଥିଲେ ଏବଂ ସେଠାକାର ସଂଘର୍ଷ ଖବର ସଂଗ୍ରହ କରୁଥିଲେ।