ସଙ୍କଟରେ ପାକିସ୍ତାନ

ଲାହୋର: ପାକିସ୍ତାନରେ ଖାଦ୍ୟ ସଂକଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଖାଦ୍ୟାଭାବରୁ ଚାରିଆଡ଼େ ହାହାକାର ମଚିଯାଇଛି । ସେପଟେ ପାକିସ୍ତାନ ମୁଦ୍ରାର ଅବମୂଲ୍ୟାୟନ ଘଟିଥିବାବେଳେ ଖାଦ୍ୟପଦାର୍ଥ ଦରବୃଦ୍ଧି ପାକିସ୍ତାନକୁ ଅଧିକ ସଙ୍କଟ ଘେରକୁ ଠେଲିଦେଇଛି। ଆସନ୍ତା ମାସଗୁଡିକରେ ଏହି ସଂକଟ ଅଧିକ ତୀବ୍ର ହେବା ଆଶଙ୍କା ଦେଖାଦେଲାଣି। ଦେଶରେ ରାଜନୈତିକ ଓ ଅର୍ଥନୈତିକ ସଂକଟ ଘନୀଭୂତ ହେଉଥିବାବେଳେ ଖାଦ୍ୟ ନିରାପତ୍ତା ଅଧିକ ବିପନ୍ନ ହେବା ଆଶଙ୍କା କରାଯାଉଛି । ୨୨ଟି ରାଷ୍ଟ୍ରର ୮୧ଟି କ୍ଷୁଧାଜନିତ ହଟସ୍ପଟ ମଧ୍ୟରେ ପାକିସ୍ତାନ ଅନ୍ୟତମ।
ଗତବର୍ଷ ପ୍ରଳୟଙ୍କରୀ ବନ୍ୟା କାରଣରୁ ବି ପାକିସ୍ତାନ ଘୋର କ୍ଷତିର ସମ୍ମୁଖୀନ ହୋଇଥିଲା । ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇଥିବାବେଳେ ଖାଦ୍ୟ ନିରାପତ୍ତା ଓ ପୁଷ୍ଟିହୀନତା ତୀବ୍ର ଆକାର ଧାରଣ କରିଛି । ଆସନ୍ତା ଜୁନରୁ ନଭେମ୍ବର ମଧ୍ୟରେ ଦେଶରେ ସଙ୍କଟ ଅତି ଉତ୍କଟ ହେବ ବୋଲି ଜାତିସଂଘ ଦର୍ଶାଇଛି। ଜାତିସଂଘର ବିଶ୍ବ ଖାଦ୍ୟ କାର୍ୟ୍ୟକ୍ରମ ଏବଂ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ବୈଦେଶିକ ଋଣ ପରିମାଣ ପହଞ୍ଚିଲାଣି ୭୭ ଦଶମିକ ୫ ବିଲିୟନ ଡଲାରରେ। ଋଣ ବୋଝ କାରଣରୁ ପାକିସ୍ତାନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ବି ଋଣ ଦେବାକୁ ଅଗ୍ରାହ୍ୟ କରିଛି। ବୈଦେଶିକ ରିଜର୍ଭ ପରିମାଣ ଅଭାବରୁ ବି ଅନ୍ୟ ରାଷ୍ଟ୍ରର ସହାୟତା ସମ୍ଭବ ହୋଇପାରୁନାହିଁ। ଫଳରେ ପାକିସ୍ତାନରେ ଆର୍ଥିକ ସଂକଟ ଅଧିକ ଘନୀଭୂତ ହେଉଛି । ପାକିସ୍ତାନ ପରି ଆଫଗାନିସ୍ତାନ, ନାଇଜେରିଆ, ସୋମାଲିଆ, ସାଉଥ ସୁଦାନ, ଇଥିଓପିଆ, କେନିଆ, କଙ୍ଗୋ, ସିରିଆ ଓ ୟେମେନ ଆଦି ରାଷ୍ଟ୍ର ମଧ୍ୟ ଏହି ଧରଣର ସଂକଟର ଶିକାର ହେବେ ବୋଲି ଚେତାବନୀ ଦେଇଛି ଜାତିସଂଘ।