ହାତୀ ଆକ୍ରମଣରେ ଜଣେ ମୃତ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ତାରସିଂ ରେଞ୍ଜ ଆମ୍ବଝରା ଜଙ୍ଗଲରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଳିଙ୍ଗପଦର ଗ୍ରାମର ଶ୍ୟାମଘନ ଯାନୀ। ସେ ଗତକାଲି ସକାଳୁ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆଜି ଆମ୍ବଝରା ଜଙ୍ଗଲରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।ଘଟଣା ସ୍ଥଳରେ ହାତୀର ପାଦଚିହ୍ନ ଥିବାରୁ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।ସ୍ଥାନୀୟ ଲୋକେ ବନବିଭାଗ କୁ ଖବର ଦେବା ପରେ ବନ ବିଭାଗ କର୍ମଚାରି ଓ ତାରାସିଂ ପୋଲିସ ପହଂଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟେ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।