ଭାଗ ହେଲା ଅଲିମ୍ପିକ ପଦକ

ଟୋକିଓ(ରିପୋର୍ଟର୍ସ ଟୁଡେ): ଟୋକିଓରେ ଦୁଇ ଦେଶ ବଦଳରେ ଦେଖିବାକୁ ମିଳିଛି ବନ୍ଧୁତ୍ୱର ଖେଳ । ଖେଳାଳୀ ନୁହେଁ ବିଜୟ ହାସଲ କରିଛି ମାନବିକତା । ହାସଲ କରିଥିବା ପଦକ ବା ସମ୍ମାନକୁ ଭାଗ ଭାଗ କରିଛନ୍ତି ଦୁଇ ଦେଶର ଖେଳାଳୀ । ଏପରି କରି ନୂଆ ଏକ ଇତିହାସ ନିଜ ନାମରେ କରିଛନ୍ତି ଏହି ଦୁଇ ଖେଳାଳୀ । ଟୋକିଓ ଅଲିମ୍ପିକରେ ଏପରି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ପୁରୁଷ ହାଇଜମ୍ପ ପ୍ରତିଯୋଗିତାରେ କତାରର ମୁତାଜ ବରଶିମ ଏବଂ ଇଟାଲୀର ଗିଆନମାର୍କୋ ଉଭୟ ନିଜ ନିଜ ମଧ୍ୟରେ ଅଲିମ୍ପିକର ପଦକ ଭାଗ କରିଥିବା ଜଣାଯାଇଛି । ଫାଇନାଲ ମ୍ୟାଚରେ ସମାନ ସ୍କୋର କରିଥିବାରୁ ଉଭୟଙ୍କୁ ଜମ୍ପ ଅଫ୍ ପ୍ରସ୍ତାବ ଦିଆଯାଇଥିଲା । ତେବେ ବରଶିମ ରେଫରିଙ୍କୁ ଦୁଇଟି ସ୍ୱର୍ଣ୍ଣ ପଦକ ଦିଆଯାଇପାରିବ କି ନାହିଁ ସେ ସମ୍ପର୍କରେ ପଚାରିଥିଲେ । ବରଶିମଙ୍କ ଏହି କଥାରେ ରେଫରି ରାଜି ହେବା ପରେ ସ୍ୱର୍ଣ୍ଣ ପଦକକୁ ଉଭୟ ଖେଳାଳୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ବରଶିମ୍ କହିଛନ୍ତି ଯେ, ଟାମ୍ବରୀ ମୋର ଜଣେ ଶ୍ରେଷ୍ଠ ବନ୍ଧୁ । କେବଳ ଖେଳ ଟ୍ରାକରେ ନୁହେଁ, ବାହାରେ ମଧ୍ୟ । ଆମେ ସାଙ୍ଗ ହୋଇ କାମ କରୁ । ଏବେ ଆମ ସ୍ୱପ୍ନ ପୂରଣ କରିବୁ । ଆମେ ପରସ୍ପରକୁ ଚାହିଁ ପ୍ରତିଯୋଗିତାର ଆଉ ଆବଶ୍ୟକତା ନଥିବା ବୁଝିଗଲୁ । ଏହା କ୍ରୀଡାବିତଙ୍କ ଆତ୍ମବଳ । ଆମେ ଏହି ବାର୍ତ୍ତା ଏଠାରେ ଦେଉଛୁ । ସୂଚନାଯୋଗ୍ୟ ଯେ, ୩୦ ବର୍ଷୀୟ ବରଶିମ୍ ଓ ୨୯ ବର୍ଷୀୟ ଗିଆନମାର୍କୋ ୨.୩୭ ମିଟର ଜମ୍ପ୍ ସହ ପ୍ରତିଯୋଗୀତା ଶେଷ କରିଥିଲେ । ତେବେ ୨.୩୯ ମିଟର ଜମ୍ପରେ ଉଭୟ ୩-୩ ଥର ବିଫଳ ହୋଇଥିଲେ ।