ସାଲେପୁର (ଜ୍ୟୋସ୍ନା ରାଣୀ ସିଂହ) : ଓଡ଼ିଶାର ପ୍ରଧାନ ମହା ଲେଖାପାଳ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନନ୍ତ କିଶୋର ବେହେରାଙ୍କ ପରଲୋକ ଘଟିଛି l ଏହି ଯୁବ ପ୍ରଶାସନିକ ଅଧିକାରୀ ଶ୍ରୀ ବେହେରା କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳର କୁହୁଣ୍ଡା (କଲ୍ୟାଣପୁର)ଗ୍ରାମରେ ଜନ୍ମଗ୍ରହଣ କରିଥିଲେ l ପିତା ହାଡିବନ୍ଧୁ ବେହେରାଙ୍କ ସୁଯୋଗ୍ୟ ସନ୍ତାନ ଅନନ୍ତଙ୍କ ବାଲ୍ୟଜୀବନ ଅନେକ ଘାତ ପ୍ରତିଘାତ ମଧ୍ୟରେ ଗତିକରୁଥିଲେ ମଧ୍ୟ, ତୁଳସୀ ଦୁଇ ପତ୍ରରୁ ବସିବା ଭଳି ମେଧାବୀ ଛାତ୍ର ପ୍ରତିଭାବନ୍ତ ଅନନ୍ତଙ୍କୁ ଜୀବନରେ ଅନେକ ସଫଳତା ମିଳିପାରିଥିଲା l କେବଳ ରାଜ୍ୟ ନୁହେଁ ସେ ଦେଶ ଓ ଦେଶ ବାହାରେ ଅନେକ ସଫଳତା ହାସଲ କରିବା ସହ ଓଡ଼ିଶାର ପ୍ରଧାନ ମହା ଲେଖାପାଳ ଭାବରେ ନିଜର ଗୁରୁ ଦାୟୀତ୍ୱ ନିର୍ବାହ କରୁଥିଲେ l
ତେବେ ଗତ କିଛିଦିନ ତଳୁ ସେ ହଠାତ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଥିଲା l ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ଫୁସଫୁସ ଜନିତ ରୋଗରେ ସେ ଆକ୍ରାନ୍ତ ହୋଇପଡ଼ିଥିଲେ l ତେବେ ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରେ ଶନିବାର ରାତିରେ ଅନନ୍ତ କିଶୋରଙ୍କ ଦେହାନ୍ତ ହୋଇଯାଇଥିଲା l ଏହି ଦୁଃଖଦ ଖବର ପ୍ରଚାରିତ ହେବା ମାତ୍ରେ କେବଳ ଜନ୍ମମାଟି କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଗାଁରେ ନୁହେଁ,ସବୁଠି ଶୋକର ଛାୟା ଖେଳି ଯାଇଥିଲା l ଅନନ୍ତ ଜଣେ ଶାନ୍ତ ସରଳ ପରୋପକାରୀ ତଥା ଧର୍ମପ୍ରାଣ ବ୍ୟକ୍ତି ଭାବେ ସବୁଠି ପରିଚିତ ଥିଲେ l