ପାରିତ ହେଲା ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍…

ରାତି ସାରା ଚାଲିଲା ବିଧାନସଭା । ପାରିତ ହେଲା ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍ । ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା । ବିରୋଧୀ ଦଳ ବିଧାୟକ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରୁଥିବା ବେଳେ ଶାସକ ଦଳର ବିଧାୟକ ପାରିତ ହେବା ନେଇ ଯୁକ୍ତି ବାଢିଥିଲେ । ମୂଳ ବିଲରେ ମୋଟ ୧୮ଟି କ୍ଲଜ ଏବଂ ଗୋଟିଏ ଅନୁସୂଚୀ ରହିଥିବାବେଳେ, ବିରୋଧୀ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ରେ ୧୨ଟି କ୍ଲଜରେ ସଂଶୋଧନ ପ୍ରସ୍ତାବ ରଖିଥିଲେ। ପ୍ରତ୍ୟେକ ସଂଶୋଧନ ପ୍ରସ୍ତାବ ଉପରେ ବିରୋଧୀ ଦଳ ପକ୍ଷରୁ ଶଙ୍କା ଆଶଙ୍କା ପ୍ରକାଶ କରି ସରକାରଙ୍କୁ ସ୍ପଷ୍ଟୀକରଣ ମଗାଯିବା ସହ ସରକାରଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା। ପରିଶେଷରେ ବିରୋଧୀ ସଦସ୍ୟଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା। ଅନ୍ୟପଟେ ଆଜି ସକାଳେ ବିଧାନସଭାରେ ଆଲୋଚନା ପରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ୨୦୨୫ ମଧ୍ୟ ପାରିତ ହୋଇଯାଇଛି।

– ପୁଣି ଫେରିବ ସିନେଟ ବ୍ୟବସ୍ଥା
– କୁଳପତିଙ୍କ ଅବସରର ୬ ମାସ ପୂର୍ବରୁ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା
– ବିଶ୍ଵବିଦ୍ୟାଳୟର ପ୍ରଫେସର, ସହକାରୀ ପ୍ରଫେସର ନିଯୁକ୍ତ କରିବେ କୁଳପତି
– ନିଯୁକ୍ତି କମିଟିରେ ରହିବେ ୩ ସଦସ୍ୟ
– କୁଳାଧିପତିଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ, ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଅଧକ୍ଷଙ୍କ ମନୋନୀତ ପ୍ରାର୍ଥୀ
– କମିଟି ଦ୍ୱାରା ୩ ଟି ନାମ ଚୟନ ପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କୌଣସି ମାମଲା ନଥିବା ନେଇ ସ୍ପଷ୍ଟ କରାଯିବ
– ୪ ବର୍ଷ ଯାଏ କୁଳପତି ନିଯୁକ୍ତି ହେବେ
– ୭୦ ବର୍ଷ ପର୍ୟ୍ୟନ୍ତ କୁଳପତିଙ୍କ କାର୍ୟ୍ୟକାଳ ବୃଦ୍ଧି
– ପୁନଃ ନିଯୁକ୍ତି ମାତ୍ର ଥରେ ପାଇ ପାରିବେ।
– କୁଳାଧିପତି ଚାହିଁଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆଉଥରେ ସେହି ପ୍ରକ୍ରିୟାରେ ନିଯୁକ୍ତି ହୋଇପାରିବେ
– କୁଳପତି ଛୁଟିରେ ଗଲେ ବରିଷ୍ଠ ପ୍ରଫେସର ଦାୟିତ୍ୱରେ ରହିବେ
– କୁଳପତି କିଛି ପରିଚାଳନାରେ ତ୍ରୁଟି କଲେ
– କାରଣ ଦର୍ଶାଅ ନିର୍ଦେଶ ଜାରି କରିବେ କୁଳାଧିପତି
– ନିର୍ଦେଶ ଜାରି ପୂର୍ବରୁ କୁଳାଧିପତି ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବେ
– ନିଲମ୍ବନ ପୂର୍ବରୁ ଅଭିଯୋଗର ତଦନ୍ତ କରାଯିବ