ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିଲେ ମଧ୍ୟ ଗୁଳୁଗୁଳି ପ୍ରବଳ ମାତ୍ରାରେ ହେଉଛି। ଯାହାକୁ ନେଇ ଅତିଷ୍ଠ ହୋଇପଡିଲେଣୀ ରାଜ୍ୟବାସୀ। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଆଉ ଏକ ଖୁସି ଖବର ଦେଇଛି। ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୩ ତାରିଖରୁ ବର୍ଷା ଆହୁରି ବଢ଼ିବ । ୨୬ ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଜି ପାଇଁ ରାଜ୍ୟର ୨୧ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଉପକୂଳବର୍ତ୍ତି ୯ ଜିଲ୍ଲାକୁ ଛାଡିଦେଲେ ବାକି ସବୁ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ରହିଛି। ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୂରଭଂଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ। ଆସନ୍ତା କାଲି ପାଇଁ ମଧ୍ୟ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଉପକୂଳରେ ଶୁଖିଲା ପାଗ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ୨୩ ତାରିଖରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।