ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲା: ୮ ଅଭିଯୁକ୍ତଙ୍କୁ ହାଇକୋର୍ଟର ସର୍ତ୍ତମୂଳକ ଜାମିନ

କଟକ: ବହୁ ଚର୍ଚ୍ଚିତ ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ୮ ଜଣଙ୍କୁ କୋର୍ଟ ପକ୍ଷରୁ ଜାମିନ ଦିଆଯାଇଛି। ଜାମିନ ପାଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ନିହାର ରଞ୍ଜନ ମହାନ୍ତି, ଡାଟା ଏଣ୍ଟ୍ରି ଅପରେଟର ଜିତେନ୍ ମହାରଣା, ବିଜୟ କୁମାର ମିଶ୍ର, ସନାତନ ବିଷ୍ଣୋଇ, ରାମଜୀ ପ୍ରଶାଦ ଗୁପ୍ତା, ଅଜୟ କୁମାର ସାହୁ, ଜୟନ୍ତ କୁମାର ରାଉତ ଓ ପ୍ରଶାନ୍ତ କୁମାର ଖାମାରୀ ଅଛନ୍ତି। ହେଲେ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। କୌଣସି ଅଭିଯୁକ୍ତଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କନ୍ଫିଡେନ୍ସିଆଲ କାମରେ ନିଯୁକ୍ତ କରାଯିବ ନାହିଁ। ସେଥିସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ହେବ ଏବଂ କୋର୍ଟର ଅନୁମତି ବିନା କୌଣସି ଅଭିଯୁକ୍ତ ବିଦେଶ ଯାଇପାରିବେ ନାହିଁ।

ଉଲ୍ଲେଖନୀୟ ଯେ, ଗତବର୍ଷ ଜୁଲାଇ ୨୦ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବାକୁ ଥିଲା। କିନ୍ତୁ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଜୁଲାଇ ୧୯ ତାରିଖରେ ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ପରୀକ୍ଷାକୁ ବାତିଲ କରାଯାଇଥିଲା। ପରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ତଦନ୍ତ କ୍ରମରେ ଗତବର୍ଷ ଅଗଷ୍ଟ ୩ ତାରିଖରେ ତତ୍କାଳୀନ ବୋର୍ଡ ଉପ ସଭାପତି ନିହାର ମହାନ୍ତିଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ଆଉ ୭ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ପରବର୍ତ୍ତୀକାଳରେ ଗତବର୍ଷ ସେପ୍ଟେମ୍ବର ୨୭ ତାରିଖରେ ପୁନର୍ବାର ସ୍ପେଶାଲ OTET ପରୀକ୍ଷା ଆୟୋଜନ କରାଯାଇଥିଲା।