ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ସାଇମୁନ୍ ୨୦୨୩’ ଉଦଘାଟିତ, ଯୋଗ ଦେଲେ ୧୦ ଦେଶର ଛାତ୍ରଛାତ୍ରୀ

0

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଆୟେଜିତ ସାଇ ମଡେଲ ୟୁନାଇଟେଡ୍ ନେସନସ୍(ସାଇମୁନ୍)ର ଏକାଦଶତମ ସଂସ୍କରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁକ୍ରବାର ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଅଭିଭାଷଣରେ କହିଥିଲେ ଯେ, ବିଶ୍ୱ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦେଶର ଛାତ୍ରଛାତ୍ରୀମାନଙ୍କ ଏକତ୍ରିତ ହେବା କେବଳ ପିଲାଙ୍କୁ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅବଗତ କରାଇବ ତାହା ନୁହେଁ, ବରଂ ସେମାନଙ୍କ ମଧ୍ୟରେ ନେତୃତ୍ୱ ଏବଂ ସମସ୍ୟା ସମାଧାନର କୈଶଳ ସୃଷ୍ଟି କରିବ । ସ୍କୁଲର ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ପିଲାଙ୍କ ସୃଜନଶୀଳତା ବିକାଶରେ ବେଶ୍ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୟ ସାହୁଙ୍କ ନାମରେ ନାମିତ ଷ୍ଟେଟ-ଅଫ୍-ଆର୍ଟ ବିଜୟ ଇନଡୋର୍ ଷ୍ଟାଡିୟମ୍ର ଲୋକାର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ମାର୍ଗଦର୍ଶନରେ ଓଡ଼ିଶା ଶିକ୍ଷା ବ୍ୟବସ୍ଥା ନୂଆ ଦିଗ୍ଦର୍ଶନ ପାଇଥିବା ଦର୍ଶାଇଥିଲେ । ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ପିଲାଙ୍କ ସ୍ୱପ୍ନ ସାକାର ଦିଗରେ ଏହି ବିଦ୍ୟାଳୟ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାଇ ଇଣ୍ଟରନ୍ୟାସନାଲର ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଯୋଗଦେଇଥିବା ସମସ୍ତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଯୁବପିଢ଼ୀଙ୍କ ପାଇଁ ଏପରି ଏହି ପ୍ଳାଟଫର୍ମ ସେମାନଙ୍କୁ ବିଶ୍ୱ ସମସ୍ୟାର ସମାଧାନ କରିବାରେ ସହାୟକ ହେବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ସମ୍ମିଳନୀ ବିଶ୍ୱର ଅନେକ ରାଉଣ୍ଡ ସ୍କୋୟାର ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଓଡ଼ିଶାର ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଭୁବନେଶ୍ୱର ଶ୍ରୀହର୍ଷ ମେମୋରିଆଲ୍ ମୁକ ବଧିର ସ୍କୁଲର ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ନେବା, ଆପୋଷ କଥାବାର୍ତ୍ତା ମାଧ୍ୟମରେ ପୃଥିବୀର ବିଭିନ୍ନ ସମସ୍ୟାର ସମାଧାନର ଉପାୟ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା ।

ସୂଚନା ଅନୁସାରେ ସାଇମୁନ ଏକ ଯୁବ ସମାବେଶ ହୋଇଥିବାବେଳେ ବିଶ୍ୱର ପ୍ରମୁଖ ସମସ୍ୟା ଓ ତାହାର ସମାଧାନ ଉପରେ । ଏହି ସମ୍ମିଳନୀ ଜୁଲାଇ ୨୮ ଓ ୨୯ ଦୁଇ ଦିନ ଧରି ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଅନୁଷ୍ଠିତ ହେବ । ଏଥିରେ ଭାରତ ସମେତ ଶ୍ରୀଲଙ୍କା, ଉଗାଣ୍ଡା, ସାଉଦି ଆରବିଆ, ସିରିଆ, ଭୂଟାନ୍, କେନିୟା, ଇଶ୍ୱାଟିନି, ଇଥୋପିଆ, ମାଲି ଆଦି ବିଶ୍ୱର ୧୦ଟି ଦେଶର ୮ଶହରୁ ଅଧିକ ଆନ୍ତର୍ଜାତୀୟ ପ୍ରତିନିଧି ସାମିଲ୍ ହୋଇଛନ୍ତି । ତେବେ ୧୦ଟି ଦେଶର ଛାତ୍ରଛାତ୍ରୀ, ୧୦ଟି କମିଟି ମାଧ୍ୟମରେ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଶ୍ୱର ବିଭିନ୍ନ ଦେଶରେ ଘଟୁଥିବା ସମସ୍ୟାର ସମାଧାନର ସରଳ ଉପାୟ ଏକ ପୁସ୍ତିକା ଆକାରରେ ଜାତିସଂଘର ମୁଖ୍ୟ କାର୍ୟ୍ୟାଳୟକୁ ପଠାଯିବ ।