ଆସୁଛି ଆଉ ଏକ ଲଘୁଚାପ, ରାଜ୍ୟରେ ଆଜିଠୁ ତିନି ଦିନ ପ୍ରବଳ ବର୍ଷା

ଭୁବନେଶ୍ଵର: ରାଜ୍ୟରେ ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା । ଆଜି ପାଇଁ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୬ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା । ଏହି ସମସ୍ତ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଅନ୍ୟପଟେ  ଆସନ୍ତା ୧୬ ତାରିଖରେ ବଙ୍ଗୋପସାଗରରେ  ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଗାଙ୍ଗେୟ ପଶ୍ଚିମବଙ୍ଗ  ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ  ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ହେବା ପରେ ୩ରୁ ୪  ଦିନ ଯାଏ ଏହା ପଶ୍ଚିମ ଓ ଉତ୍ତର- ପଶ୍ଚିମ ଦିଗରେ ଗତି କରିବ ।

ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକ ବର୍ଷା ହୋଇପାରେ । ସେହିପରି ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗିର, ସୋନପୁର ଓ ବୌଦ୍ଧରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ସେହିପରି ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୯ ଜିଲ୍ଲାକୁ ୟେଲୋ ଚେତାବନୀ ଦିଆଯାଇଛି ।