ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସାମୂହିକ ଛୁଟି ନିଷ୍ପତ୍ତିରୁ ଓହରିଲେ ଓଏଏସ ସଂଘ । ଗତକାଲି ରାତିରେ OAS ସଂଘ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅପରାଧୀ ଯେତେ ଶକ୍ତିଶାଳୀ ହୋଇହୁଅନ୍ତୁ ନା କାହିଁକି ଆଇନ ଅନୁଯାୟୀ କଠୋର ଦଣ୍ଡ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କାର୍ଯ୍ୟାଳୟ ପରିସରରେ ଆକ୍ରମଣ ପ୍ରସଙ୍ଗକୁ ନେଇ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଫିସର ସଂଘ କଡ଼ା ନିନ୍ଦା କରିଛି। ସଂଘର ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି, ଏଭଳି ବର୍ବରୋଚିତ ଘଟଣାକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ । ଘଟଣାକୁ ନେଇ ମଙ୍ଗଳବାରଠାରୁ ସମସ୍ତ ଓଏଏସ୍ ଅଫିସର ଛୁଟିରେ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସେପଟେ ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ବିଜେପି କର୍ପୋରେଟରଙ୍କ ସହ ତିନି ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି, କର୍ପୋରେଟର ଜୀବନ ରାଉତ, ରଶ୍ମି ମହାପାତ୍ର ଓ ଦେବାଶିଷ ପ୍ରଧାନ । ଖାରବେଳନଗର ଥାନାରେ ଏତଲା ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି । ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି ।

ଅନ୍ୟପଟେ ଉକ୍ତ ଘଟଣାକୁ ନେଇ କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି BMC କର୍ମଚାରୀ । BMC ଅଫିସରେ କର୍ମଚାରୀମାନେ ମିଶି ପ୍ରତିବାଦ କରୁଛନ୍ତି । ସେହିପରି ସଫେଇ କର୍ମଚାରୀମାନେ ମଧ୍ୟ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।