ଜଗତସିଂହପୁର/ ଦିଲ୍ଲିପ ସାହୁ : ଆମ୍ବୁଲାନ୍ସ ଚାଲାକ ଅସାବଧାନତା ଯୋଗୁଁ ଚାଲିଗଲା ନବଜାତ ଶିଶୁର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ । ଜଗତସିଂପୁର ଜିଲ୍ଲା ମଣ୍ଡାସାହି ନଛିପୁର ବାଲିସାହି ଗାଁର ରମେଶ ସେଠୀଙ୍କ ବୋହୁ ସାବିତ୍ରୀ ସେଠୀ ଗର୍ଭବତୀ ଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନେଉଥିଲେ । କିନ୍ତୁ ଡ୍ରାଇଭର ଗାଡି ଚଳାଇଥିବା ସମୟରେ ମୋବାଇଲରେ କଥା ହେଇ ଅସବଧନତା ହେତୁ ଗଛରେ ପିଟି ହୋଇଗଲା ।
ଫଳରେ ରମେଶ ସେଠୀ ଗୁରୂତର ଆହତ ହେବା ସହ ପ୍ରସୂତୀ ମହିଳା ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଦେହରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରସୂତୀ ସାବିତ୍ରୀ ସେଠୀଙ୍କୁ ଜଗତସିଂପୁର ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ ନବଜାତ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।ଜନ୍ମ ପରେ ନବଜାତ ଶିଶୁପୁତ୍ର ଦେହ ଅସୁସ୍ଥ ହେବାରୁ ଚିକିତ୍ସା ନିମନ୍ତେ ଡ଼ାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
କଟକ ଯିବା ବାଟରେ ଶିଶୁପୁତ୍ର ନିସ୍ତେଜ ହୋଇପଡିଥିଲା।ଶିଶୁକୁ କଟକରେ ଦେଖିବା ପରେ ଡାକ୍ତର ନବଜାତ ଶିଶୁକୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଜଗତସିଂପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି।