୮ ଶହ ଏକର ଜମିରେ ନୂଆ ଭୁବନେଶ୍ୱର ଗଠନ ହେବ

ଭୁବନେଶ୍ୱର:- ୮ ଶହ ଏକର ଜମିରେ ନୂଆ ଭୁବନେଶ୍ୱର ଗଠନ ହେବ । ରାଜଧାନୀର ଉପକଣ୍ଠରେ ଥିବା ମାଳିପଡ଼ା, ଦଶପୁର, ଅନ୍ଧାରୁଆ ଏବଂ ଗୋଠପାଟଣା ଅଞ୍ଚଳରେ ଏକ ନୂତନ ଭୁବନେଶ୍ୱର ପ୍ରତିଷ୍ଠା ହେବ । ସିଙ୍ଗାପୁର ସରକାର ଉକ୍ତ ଟାଉନସିପର ଡ୍ରଇଂ ଡିଜାଇନ୍ ଏବଂ ଲେଆଉଟ୍ ପ୍ରସ୍ତୁତ କରୁଥିବା ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକ ରହିବା ପାଇଁ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ପେଡେଷ୍ଟ୍ରିୟାନଙ୍କ ପାଇଁ ଚାଲିବା ବ୍ୟବସ୍ଥା, ଓପନ ସ୍ପେସ, ଅର୍ଥନୈତିକ ଆକ୍ଟିଭିଟି ବ୍ୟବସ୍ଥା ରହିଛି । ନୂଆ ସହର ମଧ୍ୟରେ ଶିଳ୍ପ ସଂସ୍ଥାକୁ  ମଧ୍ୟ ଗୁରୁତ୍ୱ ଦିଆଯିବ । ଦୁଇ ମାସ ମଧ୍ୟରେ ଡିପିଆର ରାଜ୍ୟ ସରକାରଙ୍କୁ ଉପସ୍ଥାପିତ କରାଯିବ । ଆଉ ଏଥି ସହିତ ୩ ଶହ କୋଟି ଟଙ୍କା ବ୍ୟୟରେ ନବୀକରଣ ହେବ ନିକୋ ପାର୍କ । ଭବିଷ୍ୟତକୁ ଆଖି ଆଗରେ ରଖି, ବିଡିଏ ଏହାର ପରିସରକୁ ବିସ୍ତାର କରୁଛି ଏବଂ ନୂତନ ସହର ପାଇଁ ପ୍ରସ୍ତୁତି କରୁଛି । କର୍ମଚାରୀ ସଂଖ୍ୟା ବୃଦ୍ଧି କରିବା ପାଇଁ ବିଏମସି  ଯୋଜନା ରହିଛି । ଜଳ ଯୋଗାଣ ଏବଂ ରାସ୍ତା ନିର୍ମାଣ ପାଇଁ ଲୋକଙ୍କୁ ସର୍ବାଧିକ ସ୍ଥାନ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।