ନେପାଳରେ ସୋସିଆଲ୍ ମିଡିଆ ବ୍ୟାନ୍‌କୁ ବିରୋଧ କରି ବିକ୍ଷୋଭ; ୧୮ ମୃତ

ନୂଆଦିଲ୍ଲୀ:ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି । Gen-Z ମଧ୍ୟରେ ଏପରି କ୍ରୋଧ ସୃଷ୍ଟି ହୋଇଛି, ଯାହା ବର୍ତ୍ତମାନ ସମଗ୍ର ନେପାଳକୁ ଦୋହଲାଇ ଦେଇଛି । ଏମିତିକି ସଂସଦକୁ ଘେରିଛନ୍ତି ବିକ୍ଷୋଭକାରୀ , ପ୍ରଦର୍ଶନ ଏତେ ଉଗ୍ର ହୋଇଛି ଯେ ସେନାକୁ ଡକାଯାଇଛି । ସେମାନଙ୍କ ଉପରେ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଉଛି  । ବିକ୍ଷୋଭ ବେଳେ କାଠମାଣ୍ଡୁରେ ବ୍ୟାପକ ହିଂସାକାଣ୍ଡ, ପୋଡ଼ାଜଳା ହୋଇଥିବା ବେଳେ ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । କାଠମାଣ୍ଡୁରେ ସେନାବାହିନୀ ମୁତୟନ ହେବା କର୍ଫ୍ୟୁ ଜାରି କରିଛନ୍ତି ସରକାର ।

ଏହି ହିଂସାକାଣ୍ଡରେ ଏଯାବତ୍ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି । ହିଂସାକାଣ୍ଡ ଏତେ ଉଗ୍ରରୁପ ଧାରଣ କରିଛି ଯେ, ସଂସଦରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ଏପଟେ ଭାରତ-ନେପାଳ ସୀମାରେ ସତର୍କତା ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସୂତ୍ର ଅନୁସାରେ, ଭାରତ-ନେପାଳ ସୀମାରେ ଏସଏସବି ସତର୍କତା ବୃଦ୍ଧି କରିଛି। ଭାରତ-ନେପାଳ ସୀମାର ସୁରକ୍ଷା ପାଇଁ ଏସଏସବି ନିୟୋଜିତ ହୋଇଛିନ୍ତି । ବିକ୍ଷୋଭକାରୀମାନଙ୍କ ଉଗ୍ର ବିକ୍ଷୋଭକୁ ଦେଖି ବିଭିନ୍ନ ଅଞ୍ଚଳରେ,ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ଅନ୍ୟ ବଡ଼ ନେତା ଓ ଅଧିକାରୀମାନଙ୍କ ବାସଭବନ ବାହାରେ ବ୍ୟାରିକେଡ଼ କରାଯାଇଛି ।

ତେବେ କହିରଖୁଛୁ ଯେ, ଗତ ସେପ୍ଟେମ୍ବର ୪ ତାରିଖରେ ଫେସବୁକ୍, ଏକ୍ସ, ଇନଷ୍ଟ୍ରାଗ୍ରାମ ଓ ହ୍ବାଟ୍ସଆପ୍ ସମେତ ୨୬ଟି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ କଟକଣା ଲଗାଇଛନ୍ତି। ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଦେଶରେ ଆନୁଷ୍ଠାନିକ ଭାବରେ ପଞ୍ଜିକରଣ କରିବା ପାଇଁ ସ୍ଥାନୀୟ ନିୟମ ପାଳନ କରୁନଥିବାରୁ ଏହାକୁ ନିଷେଧ କରାଯାଇଛି ।