ମୋବାଇଲରୁ ବଢୁଛି ସମୀପ ଦୃଷ୍ଟିଦୋଷ, ପିଲାଙ୍କ ଆଖିରେ ଲାଗୁଛି ଚଷମା
୨-୫ ବର୍ଷ ବୟସର ପିଲା ଦିନକୁ ୧ ଘଣ୍ଟାରୁ କମ୍ ସମୟ ଡିଜିଟାଲ୍ ସ୍କ୍ରିନ୍ରେ ସମୟ ବିତାଇବା ଉଚିତ୍ । ଏଥିସହିତ ସ୍ୱାସ୍ଥ୍ୟକର ଅଭ୍ୟାସ ଉପରେ ମଧ୍ୟ ଫୋକସ୍ କରିବା ଉଚିତ୍ ।
ଭୁବନେଶ୍ୱର : ଆମ ଦୈନନ୍ଦିନ ଜୀବନରେ ମୋବାଇଲ, ଲ୍ୟାପଟପ ପରି ବୈଦୁତିକ ଯନ୍ତ୍ର ପାଖରେ ଓତଃପ୍ରୋତଃ ଭାବେ ଯୋଡ଼ି ହୋଇ ରହୁଛୁ | କିନ୍ତୁ ଏହା ଆମ ଶରୀର ପ୍ରତି କେତେ ପ୍ରଭାବ ପକାଉଛି ତାହା ଜାଣିଛନ୍ତି କି ? ଆମେ ଯେତେ ଅଧିକ ଡିଜିଟାଲ ସ୍କ୍ରିନ୍ରେ ସମୟ ବିତାଉଛୁ, ସେତେ ଅଧିକ ଦୃଷ୍ଟି ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛୁ । ଖାସ କରି ଆଜିକା ଦିନରେ ଏହା ପିଲାଙ୍କ ଭିତରେ ଦେଖିବାକୁ ମିଳିଛି |
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ୨୦୧୦ ମସିହାରେ ପ୍ରାୟ ୨୦୦ କୋଟି ଲୋକ ମାୟୋପିୟା ବା ସମୀପ ଦୃଷ୍ଟିଦୋଷରେ ପୀଡ଼ିତ ଥିଲେ । ୨୦୩୦ ମସିହା ବେଳକୁ ଏହି ସଂଖ୍ୟା ୩୩୦ କୋଟିକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଏ ନେଇ ମୁମ୍ବାଇର ଜେଏନ୍ଆର ଚିଲଡ୍ରେନ୍ ଆଇ କେୟାର ଆଣ୍ଡ୍ ସ୍କ୍ୱିଣ୍ଟ୍ କ୍ଲିନିକ୍ର ଡା. ସିଦ୍ଧାର୍ଥ କେସରୱାନି କହିଛନ୍ତି, ଗତ କିଛି ଦଶନ୍ଧି ମଧ୍ୟରେ ଡିଜିଟାଲ ଡିଭାଇସ୍ଗୁଡ଼ିକର ବ୍ୟବହାର ବଢ଼ିବା ସହିତ ମାୟୋପିୟା ବା ସମୀପ ଦୃଷ୍ଟିଦୋଷ ସମସ୍ୟା ବଢ଼ିଛି । ପିଲା ଓ କିଶୋର କିଶୋରୀଙ୍କଠାରେ ଡିଜିଟାଲ୍ ସ୍କ୍ରିନ୍ ଟାଇମ୍ ଓ ମାୟୋପିୟା ବିକାଶ ମଧ୍ୟରେ ସମ୍ପର୍କକୁ ଏକାଧିକ ଅନୁସନ୍ଧାନ ଦ୍ୱାରା ଉଜାଗର କରାଯାଇଛି ।
୩ ବର୍ଷରୁ କମ୍ ବୟସ୍କ ପିଲାଙ୍କ ଉପରେ ଏହାର ଅଧିକ ପ୍ରଭାବ ପରିଲକ୍ଷିତ ହୋଇଛି, ଯାହା ଦୃଷ୍ଟିଶକ୍ତି ବିକାଶର ଏକ ଜଟିଳ ସମୟ । ସଦ୍ୟ ଅଧ୍ୟୟନ ଡିଜିଟାଲ୍ ସ୍କ୍ରିନ୍ ଟାଇମ୍ ଓ ମାୟୋପିୟା ବୃଦ୍ଧି ମଧ୍ୟରେ ଥିବା ସମ୍ପର୍କ ଉପରେ ଆଲୋକପାତ କରିଛି । ଏଥିରେ ୩ ହଜାରରୁ ଅଧିକ ଅଧ୍ୟୟନର ବ୍ୟାପକ ବିଶ୍ଳେଷଣ କରାଯାଇଥିଲା । ୩ ମାସରୁ ୩୩ ବର୍ଷ ବୟସର ବ୍ୟକ୍ତିଙ୍କ ସ୍ମାର୍ଟ ଡିଭାଇସ୍ଗୁଡ଼ିକର ବ୍ୟବହାର ଓ ମାୟୋପିୟା ମଧ୍ୟରେ ସମ୍ପର୍କକୁ ଏହା ସାମ୍ନାକୁ ଆଣିଥିଲା ।