ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା ଆରମ୍ଭ, ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ଦର୍ଷନ ଦେଉଛନ୍ତି ମା’

ଭୁବନେଶ୍ଵର: ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଥାଏ । ଆଜି ନବରାତ୍ରୀରେ ପ୍ରଥମ ଦିନ । ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରୀ ପୂଜା । ପ୍ରତିବର୍ଷ ଶରତ ଋତୁରେ ଏହି ନବରାତ୍ରୀ ପାଳନ କରାଯାଇଥାଏ । ତେବେ ବର୍ଷକର ୪ଟି ନବରାତ୍ରୀ ମଧ୍ୟରୁ ଚୈତ୍ର ଓ ନବରାତ୍ରର ମହତ୍ତ୍ବ ରହିଛି । ନବରାତ୍ରରେ ଶ୍ରଦ୍ଧାଳୁ ପେଣ୍ଡାଲରେ ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପିତ କରି ୯ ଦିନ ଧରି ପୂଜା ଉପାସନା କରିବେ । ନବରାତ୍ରରେ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ । ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ନବରାତ୍ରିର ପ୍ରଥମ ଦିନରେ ପୂଜାରେ ଅନେକ ବିଶେଷ ଜିନିଷର ଯତ୍ନ ନେବାକୁ ପଡିଥାଏ । ତେବେ ମା’ଙ୍କୁ ପୂଜା କରିବାର ବିଧି ଓ ବିଧାନ ଅଲଗା ହୋଇଥାଏ । ଦେବୀ ଶୈଳପୁତ୍ରୀ ଜ୍ଞାନ ଏବଂ ସ୍ଥିରତାର ପ୍ରତୀକ । ମା’ଙ୍କ ଆରଧାନ କରିବା ଦ୍ୱାରା ସୁଯୋଗ୍ୟ ବର ମିଳିଥାଏ ।

ମା’ ଶୈଳପୁତ୍ରୀ

ମା’ ଦୁର୍ଗାଙ୍କର ଏହି ନଅ ରୂପର ପ୍ରଥମ ରୂପ ‘ଶୈଳପୁତ୍ରୀ’। ସେ ପ୍ରଥମ ଦିନର ଉପାସ୍ୟା । ସେ ବୃଷଭ ବାହନା । ତାଙ୍କର ଦୁଇ ହସ୍ତ ମଧ୍ୟରୁ ଦକ୍ଷିଣ ହସ୍ତରେ ତ୍ରିଶୂଳ ଓ ବାମ ହସ୍ତରେ ପଦ୍ମପୁଷ୍ପ ଶୋଭିତ । ପୁରାଣ-ପ୍ରସଙ୍ଗ ଅନୁସାରେ ପୂର୍ବ ଜନ୍ମରେ ସେ ଥିଲେ ଦକ୍ଷକନ୍ୟା ‘ସତୀ’ । ତାଙ୍କର ବିବାହ ହୋଇଥିଲା ଶିବଙ୍କ ସହିତ । କିନ୍ତୁ ଦକ୍ଷଙ୍କ ଯଜ୍ଞରେ ଶିବଙ୍କର ଅପମାନ ଯୋଗୁଁ ସେ ସେହି ଯଜ୍ଞରେ ଆତ୍ମବିସର୍ଜନ କରିଥିଲେ । ସେଥିରେ କ୍ଷୁବ୍‌ଧ ହୋଇ ଶିବ ଦକ୍ଷ ଯଜ୍ଞ ଧ୍ବଂସ କରିଥିଲେ । ସେହି ସତୀ ପରଜନ୍ମରେ ଶୈଳରାଜ ହିମାଳୟଙ୍କ ପୁତ୍ରୀ ରୂପେ ଜାତ ହୋଇଥିଲେ । ତେଣୁ ତାଙ୍କର ନାମ ‘ଶୈଳପୁତ୍ରୀ’ । ତାଙ୍କର ଅନ୍ୟ ନାମ ପାର୍ବତୀ ଓ ‌ହୈମବତୀ । ପର ଜନ୍ମରେ ମଧ୍ୟ ସେ ହୋଇଥିଲେ ଶିବପତ୍ନୀ । ପ୍ରଥମ ଦୁର୍ଗା ରୂପେ ତାଙ୍କର ଶକ୍ତି ଅନନ୍ତ । ଏହି ପୂଜାରେ ଯୋଗୀ ନିଜର ମନକୁ ମୂଳାଧାର ଚକ୍ରରେ ସ୍ଥିତ କରନ୍ତି ଏବଂ ସେହିଠାରୁ ତାଙ୍କର ଯୋଗସାଧନାର ଅୟମାରମ୍ଭ ହୁଏ ।

କେମିତି କରିବେ ମା’ଙ୍କ ପୂଜା ?

ନବରାତ୍ରିର ପ୍ରଥମ ଦିନରେ କାଠ ଥାଳିରେ ନାଲି କିମ୍ବା ଧଳା କପଡା ରଖି ମାତା ଶୈଳପୁତ୍ରୀଙ୍କ ଦେବତା କିମ୍ବା ଚିତ୍ର ସ୍ଥାପନ କରନ୍ତୁ । ଧଳା ବସ୍ତୁ ମାତାଙ୍କର ଅତ୍ୟନ୍ତ ପ୍ରିୟ, ତେଣୁ ମାତାଙ୍କୁ ଧଳା ପୋଷାକ କିମ୍ବା ଧଳା ଫୁଲ ପ୍ରଦାନ କରନ୍ତୁ ଏବଂ ଧଳା ବର୍ଫି ପ୍ରଦାନ କରନ୍ତୁ । ମା’ ଶୈଳପୁତ୍ରୀଙ୍କୁ ପୂଜା ଏବଂ ଆରାଧନା କରିବା ଯୋଗୁଁ ସମସ୍ତ ମନୋବାଞ୍ଝା ପୂର୍ଣ୍ଣ ହେବା ସହିତ ଝିଅମାନଙ୍କୁ ମନ ମୁତାବକ ବର ମିଳିଥାଏ । ମା’ଙ୍କ ପାଖରେ ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ନବରାତ୍ରିରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ଜୀବନରୁ ସମସ୍ତ ସଙ୍କଟ, ଦୁଃଖ ଏବଂ ନକରାତ୍ମକ ଶକ୍ତି ଦୂର ହୁଏ। ତେଣୁ ଏକ ପାନ ପତ୍ରରେ ଲବଙ୍ଗ ଏବଂ ମିଶିରି ରଖି ମା’ ଶୈଳପୁତ୍ରୀଙ୍କୁ ଅର୍ପଣ କରନ୍ତୁ। ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।