(ଶ୍ରୀହର୍ଷ ମିଶ୍ର/ରିପୋଟର୍ସ ଟୁଡେ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବ୍ରହ୍ମପୁର ଠାରେ ଏକ ରେଳ ଓଭର ବ୍ରିଜର ଉଦଘାଟନ କରିଛନ୍ତି । ଲାଞ୍ଜିପଲ୍ଲୀ-ଇଂଜିନିୟରିଂ ସ୍କୁଲ ମଝିରେ ଏହି ରେଳ ଓଭର ବ୍ରିଜ୍ ନିର୍ମାଣ ହୋଇଛି । ଏହାସହ ଦିଗପହଣ୍ଡି ଠାରେ ଏକ କପା କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କପା କାରଖାନାଟି ଦିଗପହଣ୍ଡି ସମେତ ୬ଟି ବ୍ଲକର ପ।।ୟ ୧୦୦ ଜଣ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ କାମ ଯୋଗାଇବ । କାରଖାନାଟି ୨ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ ପ୍ରତିଷ୍ଠା ହେବ । କାରଖାନାର ଗୋଟିଏ ୟୁନିଟରେ ଦୈନିକ ୫୦ କ୍ୱିଣ୍ଟାଲ କପା ଉତ୍ପାଦନ କରିବାର କ୍ଷମତା ରହିବ । ଏହାଦ୍ୱାରା ଦିଗପହଣ୍ଡି, ସାନଖେମୁଣ୍ଡି, ଧରାକୋଟ, ଶେରଗଡ, ପାତ୍ରପୁର, ଜଗନ୍ନାଥପ୍ରଦାସ ଏବଂ ଭଞ୍ଜନଗର ବ୍ଲକର କପା ଚାଷୀମାନେ ଉପକୃତ ହେବେ । ସେହିପରି ବ୍ରହ୍ମପୁରରେ ୨୭ କୋଟି ଟଙ୍କା ବ୍ୟୟରେ ନୂତନ ରେଳ ଓଭରବ୍ରିଜଟି ନିର୍ମାଣ ହେବା ଫଳରେ ଏବେ ବିନା ଅସୁବିଧାରେ ଲୋକମାନେ ଯାଆସ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ କୋଭିଡ ମୁକାବିଲାରେ ଡାକ୍ତର, ପାରାମେଡିକାଲ କର୍ମୀ ତଥା ଜିଲ୍ଲା ପ୍ରଶାସନର ଉତ୍ସଗ୍ରୀକୃତ ସେବାକୁ ପ୍ରଶଂସା କରିଛନ୍ତି । କୋଭିଡ ଗାଇଡଲାଇନକୁ ପାଳନ କରିବା ସହ ଜିଲ୍ଲାବାସୀମାନେ ଆଗକୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ ପାଣ୍ଡିଆନ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସଂସଦିୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।