(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ଲୋକପ୍ରିୟତା ନେଇ ସି-ଭୋଟର ଓ ଆଇଏଏନଏସ ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନରେ ରହିଛନ୍ତି । ସର୍ଭେ ଅନୁସାରେ ୮୨.୯୬ ପ୍ରତିଶତ ଲୋକ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ।
ଷ୍ଟେଟ୍ ଅଫ୍ ନେସନ୍: ମେ’ ୨୦୨୦ ନାମରେ କରାଯାଇଥିବା ଏହି ସର୍ଭେର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ସଭା ଉପରେ ଥିବା ବେଳେ ତାଙ୍କ ତଳେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ । ଏହି ତାଲିକାରେ ବିଜେପିର ଦୁଇ ଜଣ ମୁଖ୍ୟମନ୍ତ୍ରୀ ଥିବା ବେଳେ କଂଗ୍ରେସର ଜଣେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ନମ୍ବରରେ ଅଛନ୍ତି । ତାଙ୍କୁ ୭୪ ପ୍ରତିଶତ ମତ ମିଳିଛି । କମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ, ହରିୟାଣାର ମନୋହର ଖଟ୍ଟର ଓ ପଞ୍ଜାବର ଅମରିନ୍ଦର ସିଂହ ରହିଛନ୍ତି ।
ସି-ଭୋଟର ଦ୍ୱାରା କରାଯାଇଥିବା ଏହି ସର୍ଭେରେ ୩ ହଜାର ମତଦାତା ଭାଗ ନେଇଥିଲେ । ଉତ୍ତର,ପୂର୍ବ ଓ ପଶ୍ଚିମ ଭାଗରେ ମୋଦି ଲୋକପ୍ରିୟତା ବଜାୟ ରଖିଛନ୍ତି ସତ କିନ୍ତୁ ଦକ୍ଷୀଣ ଭାରତରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଲୋକପ୍ରିୟତା କମ ରହିଛି । ତାମିଲନାଡୁରେ ମୋଦିଙ୍କୁ ନେଇ ଭୋଟର ସନ୍ତୁଷ୍ଠ ନାହାନ୍ତି । ସେଠାରେ ମାତ୍ର ୩୨ ପ୍ରତିଶତ ମୋଦିଙ୍କୁ ପସନ୍ଦ କରନ୍ତି । ସେହିଭଳି ବିହାରରେ ୫୮ ପ୍ରତିଶତଙ୍କ ପସନ୍ଦ ହେଉଛନ୍ତି ମୋଦି ।