ପାଟକୁରାବାସୀଙ୍କ ପାଇଁ ଆସିବେ ଭଲ ମୁଖିଆ : ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଛି ତା’ର କାରଣ କହିଛନ୍ତି ନବୀନ । ତେବେ ନାଁ ନନେଇ ସେ ସିଧାସଳଖ ନିଶାନା କରିଛନ୍ତି ନବୀନ । ନବୀନ କହିଛନ୍ତି, ମୁଁ ଜଣଙ୍କୁ ବିଶ୍ବାସ କରି ଦାୟିତ୍ବ ଦେଇଥିଲି । ଅନେକ ଦାୟତ୍ବ ଦିଆଯାଇଥିଲା । ଆପଣଙ୍କ ନିର୍ବାଚନମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି । କିନ୍ତୁ ଜାଣିଲି ସେ ସାହାଯ୍ୟ କରିବା ପରିବର୍ତ୍ତେ ହଇରାଣ ହରକତ କରୁଛନ୍ତି । ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି । ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରିବ ମୁଁ ତାକୁ ଦଳରୁ କାଢ଼ିଦିଏ । ଆପଣମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ ବୋଲି ଆଜି କହିଛନ୍ତି ବିଜେଡି ସୁପ୍ରିମୋ ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ସନାତନ ଏବଂ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଥିଲେ ବିଜେଡି ସୁପ୍ରୀମୋ । ସନାତନ ଲଗାତାର ବିଜେଡି ବିରୋଧରେ ବିଷୋଦଗାର କରୁଥିଲେ ହେଁ ଅରବିନ୍ଦଙ୍କ ନିଲମ୍ବନ ରହସ୍ୟମୟ ହୋଇଥିଲା । ତେବେ ନିଲମ୍ବନ ପରେ ଅରବିନ୍ଦ କହିଥିଲେ, ସବୁଦିନ ମୋ’ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛି ବିଜେଡି । ତେବେ ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଥିଲେ ଅରବିନ୍ଦ । ଏହାପରେ ଆଜି ମୁହଁ ଖୋଲିଛନ୍ତି ନବୀନ ।