ଭୁବନେଶ୍ଵର: ମେଡିକାଲ୍ରୁ ଡିସ୍ଚାର୍ଜ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୁସ୍ଥ ହେବା ପରେ ଘରୋଇ ମେଡ଼ିକାଲ୍ରୁ ସିଧା ନବୀନ ନିବାସ ଗଲେ ନବୀନ ପଟ୍ଟନାୟକ । ଡିହାଇଡ୍ରେସନ୍ ଯୋଗୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୧୭ ତାରିଖ ଅପରାହ୍ନରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । PM ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ତେବେ ଡିସଚାର୍ଜ ସମୟରେ ନବୀନ କହିଲେ ‘ଆଇ ଆମ ଫାଇନ ନାଓ’ । ହସ୍ପିଟାଲରେ ଭଲ ଯତ୍ନ ନେଇଥିବାରୁ ସମ୍ ଅଲ୍ଟିମେଟ୍ ମେଡିକେୟାର ଡାକ୍ତର ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ସେପଟେ ହସ୍ପିଟାଲରେ ଥିବା ସମୟରେ ସୁସ୍ଥ ଥିବା ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଥିଲେ ନବୀନ । ତାଙ୍କୁ ଭେଟିବାକୁ ଚାହୁଁଥିଲେ ନବୀନ ନିବାସ ଆସିପାରିବେ ବୋଲି କହିଥିଲେ ସେ । ଗତକାଲି ନବୀନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଫୋନ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଅସୁସ୍ଥ ଥିବା ବେଳେ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ ସେମାନଙ୍କୁ ଧନ୍ୟବାଦ୍ ଜଣାଉଛି । ଏହାସହ ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଁ ଭଲ ଅଛି ବୋଲି କହିଛନ୍ତି ନବୀନ ।