ନୂଆଦିଲ୍ଲୀ ୨୭/୦୬ : ଅଲ ଇଣ୍ଡିଆ ମଜଲିସ୍ ଏ ଇତ୍ତେହାଦୁଲ ମୁସ୍ଲିମିନ ଆଇମିଂ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ରବିବାର ଦିନ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ହେବାକୁଥିବା ଆଗାମୀ ବିଧାନସଭା ନିର୍ବାଚନରେ ୧୦୦ ଆସନରେ ତାଙ୍କ ଦଳ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଏହା ସହିତ ସେ କହିଛନ୍ତି ଯେ ଏହି ନିର୍ବାଚନରେ ତାଙ୍କ ଦଳ ଓମ ପ୍ରକାଶ ରାଜଭର ନିର୍ବାଚନୀ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିବେ।
ଓୱେସୀ କହିଛନ୍ତି, ‘ଆମେ ଆଗାମୀ ଉତ୍ତର ପ୍ରଦେଶ ନିର୍ବାଚନରେ ୧୦୦ ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛୁ। ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଆମେ ନିର୍ବାଚନରେ ଓଁ ପ୍ରକାଶ ରାଜଭରଙ୍କ ସଂକଳ୍ପ ମୋର୍ଚ୍ଚା ସହ ମଇଦାନକୁ ଓହ୍ଲେଇବୁ। ଆମର ଆଉ କୌଣସି ଦଳ ସହ ନିର୍ବାଚନ ବା ମେଣ୍ଟକୁ ନେଇ କୌଣସି ଆଲୋଚନା ହୋଇନାହିଁ।’
ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ରବିବାର ଦିନ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ତେବେ ପଞ୍ଜାବରେ ମିଳିତ ମଞ୍ଚର ପରିସର ଅକ୍ଷୁର୍ଣ୍ଣ ରହିବ। ବିଏସପି ସୁପ୍ରିମୋ ମାୟାବତୀ ଏହି ଖବରକୁ ଖଣ୍ଡନ କରିଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି ଓ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ମଧ୍ୟରେ ମେଣ୍ଟ ହୋଇପାରେ।
ମାୟାବତୀ ଟ୍ୱିଟ କରି କହିଛନ୍ତି, ଗଣମାଧ୍ୟମରେ କାଲିଠାରୁ ଖବର ପ୍ରସାରଣ ହେଉଛି ଯେ ୟୁପିରେ ଆଗାମୀ ବିଧାନସଭ ନିର୍ବାଚନରେ ଓୱେସୀଙ୍କ ଏଆଇଏମଆଇଏମ ଓ ବିଏସପି ମିଶି ଲଢ଼ିବେ। ଏହି ଖବର ସମ୍ପୂର୍ଣ୍ଣ ଭୁଲ, ଭ୍ରମ ଓ ତଥ୍ୟହୀନ। ଏହାସହ ସେ ସତୀଶ ଚନ୍ଦ୍ର ମିଶ୍ରଙ୍କୁ ବିଏସପି ମିଡ଼ିଆ ସେଲର ଜାତୀୟ ସଂଯୋଜକ କରିବାକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ ବର୍ଷ ବିହାର ବିଧାନସଭା ନିର୍ବାଚନରେ AIMIM ସିମାଞ୍ଚଳରେ ପାଞ୍ଚଟି ଆସନ ଜିତିଥିଲା। ଏହା ପରେ ଚଳିତ ବର୍ଷ ମେ ମାସରେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଓୱେସୀଙ୍କ ଦଳ ସେଠାରେ ନିଜର ପ୍ରାର୍ଥୀଙ୍କୁ ଛିଡା କରିଥିଲା କିନ୍ତୁ ଦଳକୁ ସଫଳତା ମିଳିନଥିଲା।