New Delhi: ଆମେରିକାର ଅନ୍ତରିକ୍ଷ ସଂସ୍ଥା NASA ପକ୍ଷରୁ ସବୁଠୁ ମହତ୍ତ୍ୱାକାଂକ୍ଷୀ ଆର୍ଟେମିସ୍-୨ ମିଶନକୁ ସଫଳତାର ସହ ଲଞ୍ଚ କରାଯାଇଛି। ୫୩ ବର୍ଷ ପରେ ପୁଣିଥରେ ମାନବ ଚନ୍ଦ୍ର ନିକଟକୁ ଯାତ୍ରା କରୁଥିବାରୁ ଏହା ଐତିହାସିକ ମିଶନ ଭାବେ ଦେଖାଯାଉଛି।ଫ୍ଲୋରିଡାର Kennedy Space Centerରୁ ୪ ଜଣ ମହାକାଶଚାରୀ ଓରିଅନ୍ କ୍ୟାପସୁଲରେ ବସି ବିଶାଳ SLS ରକେଟ୍ ମାଧ୍ୟମରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛନ୍ତି।
ଏହି ମିଶନରେ ଯୋଗଦେଇଥିବା ମହାକାଶଚାରୀମାନେ ହେଲେ Reid Wiseman, Victor Glover, Christina Koch ଓ Jeremy Hansen। ସେମାନେ ୧୦ ଦିନିଆ ମିଶନ ଅବଧିରେ ଚନ୍ଦ୍ରର ଚତୁଃପାର୍ଶ୍ୱରେ ପରିକ୍ରମା କରି ପୃଥିବୀକୁ ଫେରିବେ। ଏହି ମିଶନରେ ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେ ନାହିଁ, କିନ୍ତୁ ଏହା ଅନେକ ଐତିହାସିକ ରେକର୍ଡ ସୃଷ୍ଟି କରିବ ବୋଲି କୁହାଯାଉଛି। ସେମାନେ ପୃଥିବୀଠାରୁ ସର୍ବାଧିକ ଦୂରକୁ ଯାତ୍ରା କରି ଚନ୍ଦ୍ରର ପ୍ରାୟ ୪ ଲକ୍ଷ ୨ ହଜାର କିଲୋମିଟର ଦୂର ପର୍ଯ୍ୟନ୍ତ ପହଞ୍ଚିବେ।
ଏହା ପୂର୍ବରୁ ହୋଇଥିବା Apollo 13 mission ଠାରୁ ପ୍ରାୟ ୨୪୧୪ କିଲୋମିଟର ଅଧିକ ଦୂର ହେବ। ଏହି ଯାତ୍ରା ଏକ ମୁକ୍ତ-ପ୍ରତ୍ୟାବର୍ତ୍ତନ ପଥରେ ହେବ, ଯେଉଁଥିରେ ଚନ୍ଦ୍ର ପଛପଟରେ ଯିବା ସମୟରେ ପ୍ରାୟ ୫୦ ମିନିଟ ପର୍ଯ୍ୟନ୍ତ ରେଡିଓ ସଂଯୋଗ ବିଚ୍ଛିନ୍ନ ହେବ।ମିଶନ ଶେଷରେ ମହାକାଶଚାରୀମାନେ ପୃଥିବୀକୁ ଫେରିବା ସମୟରେ ପ୍ରାୟ ପ୍ରତିଘଣ୍ଟା ୪୦ ହଜାର ୨୦୦ କିଲୋମିଟର ବେଗରେ ଗତି କରିବେ, ଯାହା ଏହାକୁ ସବୁଠୁ ଦ୍ରୁତ ମାନବ ଅନ୍ତରିକ୍ଷ ଯାତ୍ରାମଧ୍ୟରୁ ଗୋଟିଏ କରିଦେବ।