କଟକ(ଜଗନ୍ନାଥ ମହାନ୍ତି): ମହାବଳ ବାଘକୁ ଘରେ ପାଳି ଚର୍ଚ୍ଚାରେ ରହିଥିବା ମହିଳା ନିହାର ନଳିନୀ ସ୍ୱାଇଁଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି । କଟକ ସିଦ୍ଧେଶ୍ୱର ସାହିଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ତତ୍କାଳୀନ ନିର୍ଦେଶକ ସରୋଜ ରାୟ ଚୌଧୂରୀ ସ୍ତ୍ରୀ ନିହାର ନଳିନୀଙ୍କ ସହ ବୁଲୁଥିବା ସମୟରେ ସ୍ଥାନୀୟ ଖାଇରା ନଦୀ କୁଳରୁ ଏକ ବାଘ ଛୁଆଟିକୁ ଏକୁଟିଆ ପାଇ ତାକୁ ଘରକୁ ଆଣିଥିଲେ । ଦୀର୍ଘ ୭ ବର୍ଷ ଧରି ତାର ଲାଳନ ପାଳନ କରିଥିଲେ ନିହାର ନଳିନୀ । ଆଉ ଘର ଅଗଣାରେ ରହୁଥିବା ବାଘ ଦେଖିବାକୁ ଆସୁଥିଲେ ଲୋକେ । ୧୯୮୧ ମସିହାରେ ବାଘର ମୃତ୍ୟୁ ହୋଇଥିଲା । ସେମାନଙ୍କର କୌଣସି ପିଲା ଛୁଆ ନ ଥିବାରୁ ସ୍ୱାମୀଙ୍କୁ ହରାଇବା ପରେ ଖଇରି ସହ ବିତାଇଥିବା ସମୟକୁ ବୃଦ୍ଧା ଆଶ୍ରମରେ ସବୁ ବେଳେ ମନେ ପକାଉଥିଲେ ନଳିନୀ ।