“ଥଣ୍ଡା, କାଶ କିମ୍ଵା ଜ୍ଵର ଥିଲେ ପୁରୀ ଆସନ୍ତୁ ନାହିଁ” : ସ୍ଵାସ୍ଥ୍ୟମନ୍ତ୍ରୀ

ଆସନ୍ତାକାଲି ମହାପ୍ରଭୁଙ୍କ ରଥଯାତ୍ରା ।

(ଭୁବନେଶ୍ୱର) : ଆସନ୍ତାକାଲି ମହାପ୍ରଭୁଙ୍କ ରଥଯାତ୍ରା । ପୁରୀରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ବ୍ୟବସ୍ଥା କରିଛି ସ୍ଵାସ୍ଥ୍ୟ ବିଭାଗ। ଏନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ।

ସେ କହିଛନ୍ତି ଯେ, ରଥଯାତ୍ରା ବେଳେ ଯେପରି ଭାବରେ କେହି ବିନା ମସ୍କରେ ବୁଲିବେ ନାହିଁ ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବଣ୍ଟା ହେବ ୧୦ ଲକ୍ଷ ମାସ୍କ। ଏତଦ୍ ବ୍ୟତୀତ ଫୁଡ୍ ଇନ୍ସପେକ୍ଟର, ମେଡିସିନ୍ ସ୍ପେଶାଲିଷ୍ଟ, ରକ୍ତ ଭଣ୍ଡାର ସହ ଆମ୍ଵୁଲାନ୍ସ ସେବା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। କୋଭିଡ ପାଇଁ ସ୍ଵତନ୍ତ୍ର ଭାବରେ ବେଡ୍‌ର ବ୍ୟବସ୍ଥା କରାଯାଇଛି। ଥଣ୍ଡା, କାଶ କିମ୍ଵା ଜ୍ଵର ହୋଇଥିଲେ ପୁରୀ ନଆସି ଘରେ ବସି ରଥଯାତ୍ରା ଦେଖିବାକୁ ସ୍ଵାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମନ ଖୁସିରେ ଓଡ଼ିଶାବାସୀ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖନ୍ତୁ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ , ପୁରୀ ସହରରେ ତ୍ରିସ୍ତରୀୟ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ପୁରୀ ସହରକୁ ୧୦ଟି ଜୋନ୍ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। ତିନୋଟି ପର୍ଯ୍ୟାୟରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ନବଯୌବନ ଦର୍ଶନ, ଉଭାଯାତ୍ରା ଓ ରଥଯାତ୍ରା, ଦ୍ୱିତୀୟ ପର୍ଯ୍ୟାୟରେ ସଂନ୍ଧ୍ୟା ଦର୍ଶନ ଓ ବାହୁଡ଼ାଯାତ୍ରା, ତୃତୀୟ ପର୍ଯ୍ୟାୟରେ ସୁନାବେଶ ଓ ନିଳାଦ୍ରୀ ବିଜେକୁ ନେଇ କରାଯାଇଛି ଟ୍ରାଫିକ ବ୍ୟବସ୍ଥା।