(ରିପୋର୍ଟସ ଟୁଡେ) ପିଲାଙ୍କ ପାଇଁ ସଙ୍ଗୀତ ବେଶ୍ ଉପକାରୀ। ଏହା ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ପିଲାଙ୍କୁ ଜ୍ଞାନୀ କରିଥାଏ। ଆମେରିକା ଓହିଓ ବିଶ୍ୱବଦ୍ୟାଳୟର ମେଡିକାଲ ସାଇନ୍ସ୍ କଲେଜର ସ୍ନାୟୁ ବିଭାଗରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ପାଠପଢ଼ା ସହିତ ସଙ୍ଗୀତ ପିଲାଙ୍କ ପାଇଁ କେତେ ଦରକାରୀ, ଏହା ଉପରେ ଏକ ଗବେଷଣା ହୋଇଥିଲା। ଜଣାପଡ଼ିଥିଲା ଯେ ପିଲା ଏକ ବର୍ଷରୁ ଆରମ୍ଭ କରି ୫ ବର୍ଷ ପର୍ୟ୍ୟନ୍ତ ବିଭିନ୍ନ ଖେଳଣାରେ ଖେଳିଥାଏ। ଖେଳଣାଗୁଡ଼ିକର ଶବ୍ଦ ହିଁ ପିଲାକୁ ଆକୃଷ୍ଟ କରିଥାଏ। ଏହାଯୋଗୁ ଧୀରେ ଧୀରେ ସଙ୍ଗୀତ ଶୁଣିବା ପାଇଁ ମସ୍ତିଷ୍କରେ ସୃଷ୍ଟି ହୋଇଥାଏ ଏକ ଗରୁତ୍ୱପୂର୍ଣ୍ଣ ସ୍ଥାନ। ଗବେଷଣାରେ କିଛି ପିଲାଙ୍କୁ ସାମିଲ୍ କରାଯାଇଥିଲା। ଯେଉଁମାନେ ସଙ୍ଗୀତ ଶୁଣିବାରେ ଅଭ୍ୟସ୍ତ ଥିଲେ, ସେମାନଙ୍କର ମନେ ରଖିବା କ୍ଷମତା ଓ ବୁଦ୍ଧିମତ୍ତାସ୍ତର ସଙ୍ଗୀତ ଶୁଣୁ ନ ଥିବା ପିଲାଙ୍କ ଠାରୁ ଅଧିକ ଥିଲା। ସଙ୍ଗୀତ ଶୁଣୁ ଥିବା ପିଲାଙ୍କ ଶ୍ରବଣ ଶକ୍ତି ଭଲ ଏବଂ ସେମାନଙ୍କର ଶବ୍ଦ ଉଚ୍ଚାରଣ ମଧ୍ୟ ସ୍ପଷ୍ଟ। ସଙ୍ଗୀତ ଶୁଣିଥିବା ପିଲାଙ୍କ ମସ୍ତିଷ୍କ ହୋଇଥାଏ ବେଶ୍ ତୀକ୍ଷ୍ଣ। ସେମାନେ ଖୁବ୍ ଶୀଘ୍ର ସବୁ ମନେରଖିପାରନ୍ତି। ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିବାରେ ମଧ୍ୟ ସଙ୍ଗୀତ ସହାୟକ ହୋଇଥାଏ। ତେଣୁ ପିଲାମାନଙ୍କୁ ପ୍ରତିଦିନ ଏକ ଘଣ୍ଟା ସଙ୍ଗୀତ ଶୁଣିବାକୁ ଦେବା ଆବଶ୍ୟକ ବୋଲି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଅଛି।