ଭୋପାଳ: ଇନ୍ଦୋରରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇବା କାରଣରୁ ଧାମନୋଦର ଖାଲଘାଟ ସଞ୍ଜୟ ସେତୁରୁ ନର୍ମଦା ନଦୀକୁ ଖସିପଡିଥିଲା। ବର୍ତ୍ତମାନ ସୁଦ୍ଧା ନଦୀରୁ ୧୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏଥି ସହିତ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଧାମନୋଦ ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ଧାମନୋଦ ଏବଂ ଖାଲଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ।
ଡାଇଭରମାନେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ଅଛନ୍ତି। ଘଟଣାରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଦୁର୍ଘଟଣାର ଶିକାର ହୋଇଥିବା ବସ୍ ମହାରାଷ୍ଟ୍ର ସରକାରଙ୍କର ଅଟେ। ଏହି ବସରେ ଇନ୍ଦୋରରୁ ୧୨ ଜଣ ଯାତ୍ରୀ ଚଢ଼ିଥିଲେ। ସେ କହିଛନ୍ତି ଯେ, ବସ୍ରେ ୫୦ ରୁ ୫୫ ଯାତ୍ରୀ ଥିବା ଅନୁମାନ କରାଯାଉଛି। ତେବେ ନଦୀରୁ ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଉଦ୍ଧାର ହୋଇଛି। ସେ କହିଛନ୍ତି ଯେ ବ୍ରେକ୍ ବିଫଳତା କିମ୍ବା ଷ୍ଟିଅରିଂ ବିଫଳତା ହେତୁ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି, ବ୍ରିଜ୍ ରେଲିଂ ଭାଙ୍ଗି ବସ୍ ନଦୀରେ ପଡିଯାଇଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି । କୁହାଯାଉଛି ଯେ, ଧର ଜିଲ୍ଲାରେ ଅବସ୍ଥିତ ଖାଲଘାଟ ବ୍ରିଜ ବହୁତ ପୁରୁଣା। ସେଠାରୁ ଯାତ୍ରୀବାହୀ ବସ ନର୍ମଦା ନଦୀରେ ଖସିପଡିଥିଲା। ନଦୀର ପ୍ରବାହ ହେତୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ବସ୍ରେ ଥିବା ୨୦ ରୁ ୨୫ ଜଣ ଲୋକ ନିଖୋଜ ଅଛନ୍ତି ଏବଂ ସେମାନଙ୍କ ପାଇଁ ଖୋଜା ଚାଲିଛି।
ମୃତଦେହ ପୋଷ୍ଟମର୍ଟମ ପାଇଁ ଧର ଡାକ୍ତରଖାନାକୁ ପଠାଯାଇଛି। ବସ୍ ଖସିଯିବା ମାତ୍ରେ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକମାନେ ପ୍ରଥମେ ଲୋକଙ୍କୁ ବସରୁ ବାହାର କରିଥିଲେ।ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି।