ମା’ ସାଜିଲା ସଇତାନ । ସ୍ୱାମୀ ସହ ଝଗଡା ପରେ ରାଗ ସୁଝାଇବା ପାଇଁ ନିଜର ଦୁଇ ନିଷ୍ପାପ ଶିଶୁଙ୍କୁ ପନିକି ଏବଂ ଟାଙ୍ଗିଆରେ ହାଣି ହତ୍ୟା କଲା ମା’ । ଶନିବାର ବିଳମ୍ବିତ ରାତ୍ରିରେ ଝାରସୁଗୁଡା ଓରାମପଡା ଠାରେ ଏପରି ହୃଦୟ ବିଦାରକ ଘଟଣା ଘଟିଛି ।
ଅଭିଯୁକ୍ତା ରଞ୍ଜିତା ଓରାମ ନିଜର ସ୍ୱାମୀ ସୀତାରାମ ଓରାମଙ୍କ ସହିତ ଝାରସୁଗୁଡା ବିମାନ ବନ୍ଦର ଥାନା ନିକଟରେ ଥିବା ଓରାମପଡାରେ ରହି ଆସୁଥିଲେ । ରଞ୍ଜିତା ସବୁବେଳେ ସୀତାରାମଙ୍କୁ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ଥିବା ନେଇ ସନ୍ଦେହ କରୁଥିଲେ ଏବଂ ନିଜ ସହିତ ଦୁଇ ଶିଶୁଙ୍କୁ ମାରିଦେବା ପାଇଁ ସୀତାରାମଙ୍କୁ ଧମକ ଦେଉଥିଲେ । ଘଟଣାର ପୂର୍ବଦିନ ରଞ୍ଜିତା ଏବଂ ସୀତାରାମ ଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା । ଶନିବାର ରାତି ପ୍ରାୟ ୧୧.୩୦ ସମୟରେ ରଞ୍ଜିତା ଶୌଚ ଯିବାପାଇଁ ସୀତାରାମଙ୍କୁ ଉଠାଇଥିଲା । ସୀତାରାମ ଘରର କବାଟ ଖୋଲି ବାହାରକୁ ବାହାରି ପଡିବା ପରେ ରଞ୍ଜିତା ପଛପଟୁ କବାଟ ବନ୍ଦ କରିଦେଇଥିଲେ। ଏବଂ ଭିତରେ ଥିବା ପନିକି ଏବଂ ଟାଙ୍ଗିଆରେ ୧୦ ବର୍ଷର ଝିଅ ଜିଜ୍ଞାସା ଓରାମ ଏବଂ ୫ ବର୍ଷର ପୁଅ ବିହାଂଶୁ ଓରାମଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ ଏବଂ ନିଜକୁ ମଧ୍ୟ କ୍ଷତାକ୍ତ କରିଥିଲେ।
ଏପଟେ ସୀତାରାମ ଯେତେ ଡାକିଲେ ମଧ୍ୟ ରଞ୍ଜିତା କବାଟ ନ ଖୋଲିବାରୁ ନିଜ ବଡଭାଇଙ୍କୁ ଡାକି ପଛପଟ ଝରକାକୁ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ । ସେତେବେଳେକୁ ଝିଅ ଜୀବନ ହାରିସାରିଥିବା ବେଳେ ପୁଅ ମଧ୍ୟ ଅତ୍ୟନ୍ତ ଗୁରୁତର ହୋଇ ସାରିଥିଲେ । ସୀତାରାମଙ୍କ ବଡ ଭାଇ ପୋଲିସକୁ ଖବର ଦେଲା ପରେ ପୋଲିସ ସହାୟତାରେ ଦୁଇଟି ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିବାବେଳେ ଅଭିଯୁକ୍ତା ରଞ୍ଜିତା ଚିକିତ୍ସିତ ହେଉଛନ୍ତି ।