ନୂଆଦିଲ୍ଲୀ: ପୁଣି ନବୀନ ନମ୍ବର-୧ । ଜାତୀୟ ସ୍ତରରେ ଝଲସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ମୁଡ ଅପ ଦି ନେସନ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରଥମ ସ୍ଥାନ ପାଇଛନ୍ତି ମୁଖ୍ୟମନ୍ତ୍ରୀ । ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ୬୧ ଦଶମିକ ୩ପ୍ରତିଶକ ସମର୍ଥନ ମିଳିଛି । ସର୍ଭେ ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ତାଙ୍କୁ ୫୯ ଦଶମିକ ୧ ପ୍ରତିଶତ ସମର୍ଥନ ମିଳିଛି । ତୃତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ତାଙ୍କୁ ମିଳିଛି ୫୭ ଦଶମିକ ୭ ପ୍ରତିଶତ ସମର୍ଥନ। ଚତୁର୍ଥ ସ୍ଥାନରେ ଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ପଞ୍ଚମ ସ୍ଥାନରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।
ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା ସହ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା, ମହିଳା ଓ କୃଷକଙ୍କ ସଶକ୍ତିକରଣ, ଶିଳ୍ପାନ୍ୱୟନ ମାଧ୍ୟମରେ ସ୍ଥାନୀୟ ନିଯୁକ୍ତି ବୃଦ୍ଧି ନିମନ୍ତେ ଜନକଲ୍ୟାଣକାରୀ ଯୋଜନା ଓ ଏହାର ସଫଳ କାର୍ଯ୍ୟାନ୍ୱୟନ ନବୀନ ସରକାରକୁ ଅଧିକ ଲୋକପ୍ରିୟ କରିଛି।
୨୦୦୦ ମସିହାରୁ ଏଯାଏ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ସୁଶାସନ, ବିକାଶ, ଜନହିତକର କାର୍ଯ୍ୟ କ୍ଷେତ୍ରରେ ଜାତୀୟ ସ୍ତରରେ ବାରମ୍ବାର ଏକ ନମ୍ବର ହୋଇଆସୁଛନ୍ତି । ବନ୍ୟା, ବାତ୍ୟା, ମରୁଡ଼ି, ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରତିବନ୍ଧକକୁ ପ୍ରତିହତ କରି ବିକାଶର ଲକ୍ଷ୍ୟ ପଥରେ ସରକାର ଯୋଜନାବଦ୍ଧ ଭାବେ ଅଗ୍ରସର ହେଉଛନ୍ତି। ମୋ ସରକାର, ଫାଇଭ-ଟି ରୂପାନ୍ତରଣ ଜରିଆରେ ଓଡିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ନବୀନ । ସ୍ବାସ୍ଥ୍ୟସେବା, ଶିକ୍ଷା, ସ୍ବଚ୍ଛତା, କ୍ରୀଡ଼ା ଆଦି ସମସ୍ତ କ୍ଷେତ୍ରରେ ପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ହୃଦୟରେ ଯୋଡ଼ିହୋଇ ରହିଛନ୍ତି ନବୀନ । ବିଶ୍ବକପ୍ ହକିର ସଫଳ ଆୟୋଜନ, ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ ନିର୍ମାଣ ଆଦିରେ ସାରା ବିଶ୍ବରେ ବି ଶ୍ରେୟ ନେଇଛନ୍ତି ନବୀନ ।