ତଦନ୍ତକାରୀ ସଂସ୍ଥା ଦ୍ବାରା ଜବତ ହେଉଥିବା ଟଙ୍କା ଥାନାରେ ନ ରହି ରିଲିଜ ହେବ

କଟକ-: ତଦନ୍ତକାରୀ ସଂସ୍ଥା ଦ୍ୱାରା ଚଢ଼ଉ କରି ଜବତ କରାଯାଉଥିବା ବିଭିନ୍ନ ସାମଗ୍ରୀ, ବର୍ଷ ବର୍ଷ ଧରି ବିଚାର ବିଭାଗୀୟ ହେପାଜାତରେ ପଡି ରହିବା ଲାଭ ଦାୟକ ନୁହେଁ । ଜବତ ସାମଗ୍ରୀଗୁଡିକୁ ଉପଯୁକ୍ତ ପ୍ରକ୍ରିୟାରେ ରିଲିଜ କରିବା ଉପରେ ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ ଶିବଶଙ୍କର ମିଶ୍ର, ନିର୍ଦ୍ଦେଶନାମା ଜାରି କରିବା ସହ ଏହାର କପି ରାଜ୍ୟର ସବୁ ଜିଲ୍ଲାକୋର୍ଟ, ସ୍ବତନ୍ତ୍ର କୋର୍ଟ, ଅନ୍ୟସବୁ ନିମ୍ନ ଅଦାଲତ, ପୋଲିସ୍ ଡିଜି, ଅନ୍ୟ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି, ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶାଳୟ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ପ୍ରଦାନ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସିବିଆଇ ଦ୍ୱାରା ଜବତ ହୋଇଥିବା ୧୫ ଲକ୍ଷ ଟଙ୍କାକୁ ରିଲିଜ ପାଇଁ ହୋଇଥିବା ଆବେଦନର ସୋମବାର ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ଏହି ଶୁଣାଣି ସମୟରେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପୁଲିସ ବା ଯେକୌଣସି ତଦନ୍ତକାରୀ ସଂସ୍ଥା ଦ୍ବାରା ଜବତ ହେଉଥିବା ଟଙ୍କା ଥାନାରେ ନ ରହି ରିଲିଜ୍‌ ହେବ। ଏହା ପୂର୍ବରୁ ସେସବୁର ସ୍ଥାୟୀ ରେକର୍ଡ଼ ରଖିବା ଲାଗି ହାଇ- ରିଜୋଲ୍ୟୁସନ ଫଟୋଗ୍ରାଫ୍‌ ଉଠାଯିବ। ଉକ୍ତ ଜବତ ଟଙ୍କାକୁ ନେଇ ପଞ୍ଚନାମା କରାଯିବ। ଯେଉଁଥିରେ ତଦନ୍ତକାରୀ ଅଧିକାରୀ, ଅଭିଯୋଗକାରୀ, ଅନ୍ୟ ପକ୍ଷ ଏବଂ ପ୍ରତ୍ୟକ୍ଷଦର୍ଶୀ ଦସ୍ତଖତ କରିବେ। ଏଥିସହ ଉପଯୁକ୍ତ ସର୍ତ୍ତ ଏବଂ ସିକ୍ୟୁରିଟି ବଣ୍ଡ ମଧ୍ୟ ରଖିବା ପାଇଁ କୁହାଯିବ। ଯଦି କୌଣସି କାରଣରୁ ତୁରନ୍ତ ଟଙ୍କା ରିଲିଜ କରାଯାଇ ପାରୁନାହିଁ ତାହେଲେ ଅର୍ଥନୀତିକୁ ବୁଷ୍ଟିଂ ପାଇଁ ଉକ୍ତ ଜବତ ଟଙ୍କାକୁ ଏକ ଜାତୀୟକରଣ ବ୍ୟାଙ୍କ‌ରେ ଜମା କରାଯିବ। ଜବତ ଟଙ୍କାକୁ ଜୁଡିସିଆଲ ହେପାଜତରେ ରଖାଗଲେ ଏହାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ ନାହିଁ ବୋଲି ଲକ୍ଷ୍ମଣ ଶ୍ରୀନିବାସନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଶିବ ଶଙ୍କର ମିଶ୍ର ଏହି ରାୟ ଦେଇଛନ୍ତି।

ଏଥିସହ ହାଇକୋର୍ଟ ନିମ୍ନ ଅଦାଲତ ଏବଂ ତଦନ୍ତକାରୀ ଅଧିକାରୀଙ୍କ ଏକ୍ଷେତ୍ରରେ କି’ ଭୂମିକା ରହିଛି ସେନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ଯଦି ତଦନ୍ତକାରୀ ସଂସ୍ଥା ଦ୍ୱାରା ବ୍ୟାଙ୍କ‌ ଡିପୋଜିଟ୍‌ କିମ୍ବା ସ୍ଥାୟୀ ଜମା ଜବତ ହୋଇଥାଏ, ତାହାଲେ ଏହାର ରିଲିଜ୍‌ ପାଇଁ ଅଭିଯୁକ୍ତଙ୍କୁ ସମାନ ପରିମାଣର ବ୍ୟାଙ୍କ‌ ଗ୍ୟାରେଣ୍ଟି ଅର୍ଥ ଦେବାକୁ ପଡ଼ିବ। ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରୋସିଡିଂ ଆରମ୍ଭ ହୋଇଥିଲେ ବ୍ୟାଙ୍କ ଡିପୋଜିଟ୍‌ ବା ସ୍ଥାୟୀ ଜମା ରିଲିଜ କରାଯାଇପାରିବ ନାହିଁ। କେବଳ ପ୍ରାଧିକୃତ ଅଦାଲତଙ୍କ ଅନୁମତିକ୍ରମେ ଉକ୍ତ ଜମା ରାଶି ରିଲିଜ ହେବ। ପୁଲିସ ଷ୍ଟେସନ୍‌ରେ ଜବତ ଗାଡ଼ି ପଡ଼ି ରହି ନଷ୍ଟ ହେଉଛି। ନିମ୍ନ ଅଦାଲତ ଏବଂ ବିଭାଗୀୟ ଅଧିକାରୀ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିହାତି ଆବଶ୍ୟକ। ଗାଡ଼ିର ମାଲିକଙ୍କୁ ଚିହ୍ନଟ କରି ସୁରକ୍ଷା ଜମା ବଦଳରେ ଗାଡ଼ି ଫେରସ୍ତ ଦିଆଯିବ। ଗାଡ଼ିର ମାଲିକାନାକୁ ନେଇ ବିବାଦ ଥିଲେ ବିଚାର ବିଭାଗୀୟ ଅଧିକାରୀମାନେ ଉକ୍ତ ବିବାଦକୁ ତୁଟାଇବା ସହ ଗାଡ଼ି ରିଲିଜ ପାଇଁ ତୁରନ୍ତ ପଦକ୍ଷେପ ନେବେ।

ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ବିନା ଆଇନଗତ ଯୁକ୍ତିଯୁକ୍ତ କାରଣରେ ଜବତ ସଂପତ୍ତି ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଯେପରି ଅଟକ ରଖାଯିବ ନାହିଁ ତାହା ଅଦାଲତ ଓ ତଦନ୍ତକାରୀ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ । ଜବତ ସଂପତ୍ତି ଜିମାରେ ଛାଡ଼ିବା ପାଇଁ ସିଆରପିସିର ବିଭିନ୍ନ ଧାରା ଓ ପ୍ରତିଷ୍ଠିତ ନ୍ୟାୟିକ ପ୍ରକ୍ରିୟାର ଅନୁସରଣ କରାଯିବ । ନଗଦ ଟଙ୍କା ଜବତ କ୍ଷେତ୍ରରେ ହସ୍ତାନ୍ତର ବେଳେ କେତେକ ସର୍ତ୍ତପାଳନ କରାଯିବ । ସ୍ଥାୟୀ ରେକର୍ଡ ରଖିବା ପାଇଁ ଏହାର ହାଇ ରିଜୋଲ୍ୟୁସନ୍ ରଙ୍ଗିନ ଫଟୋଗ୍ରାଫ ଉତ୍ତୋଳନ କରାଯିବ । ଏକ ସବିଶେଷ ପଞ୍ଚନାମା ପ୍ରସ୍ତୁତ କରାଯିବ ଓ ଏଥିରେ ତଦନ୍ତକାରୀ ଅଧିକାରୀ, ଅନ୍ୟ ଆବଶ୍ୟକ ପକ୍ଷ ବା ସାକ୍ଷୀଙ୍କ ଦସ୍ତଖତ ରହିବ ।