କୋରାପୁଟରେ ପ୍ରସ୍ତାବିତ ମଦଦୋକାନକୁ ମୋନାର ବିରୋଧ

ଭୁବନେଶ୍ୱର: ମଦ ଓ ଅନ୍ୟାନ୍ୟ ନିଶାକୁ ରାଜ୍ୟରୁ ୨୦୨୯ ମସିହା ସୁଦ୍ଧା ସଂପୂର୍ଣ୍ଣ ନିବାରଣ କରିବାପାଇଁ ନିର୍ବାଚନୀ ପ୍ରତିଶୃତି ରଖି ଶାସନ କ୍ଷମତାକୁ ଆସିଥିବା ଦଳର ସରକାର ଶାସନ କ୍ଷମତାକୁ ଆସିବାରଏତେ କମ ଦିନରେ କୋରାପୁଟରେ ୮ ଗୋଟି ଦେଶୀ ମଦ ଦୋକାନ ଖୋଲିବା ଖବର ଜନସାଧାରଣଙ୍କୁ ଆଚମ୍ବିତ କରିଛି । ଏହି ଖବର ସଂପର୍କରେ ପ୍ରତିବାଦ ଜଣାଇବା ପାଇଁ ମିଳିତ ଓଡିଶା ନିଶାନିବାରଣ ଅଭିଯାନର କର୍ମୀମାନେ ବ୍ୟାନର ଧରି ଶାନ୍ତିପୂର୍ଣ୍ଣଭାବେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଦ୍ଧନା ସଭାସୁଳର ମୁଖ୍ୟ ଫାଟକ ନିକଟରେ ନୀରବରେ ଛିଡା ହୋଇଥିବା ବେଳେ ପୋଲିସ ଲଗାଇ ସେମାନଙ୍କୁ ଖାରବେଳ ନଗର ଥାନାକୁ ନେଇ ୨ ଘଂଟାରୁ ଉର୍ଦ୍ଧ ସମୟ ଅଟକ ରଖିବା ଘଟଣାକୁ ‘ମୋନା’ (ମିଳିତ ଓଡିଶା ନିଶାନିବାରଣ ଅଭିଯାନ) ପକ୍ଷରୁ ନିନ୍ଦା କରାଯାଇଛି ।

ଏହି କାର୍ଯ୍ୟକ୍ରମ ମୋନାର ଉପସଭାପତି ସର୍ବଶ୍ରୀ ବିଜୟ କୁମାର ସ୍ପାଇଁ, ଖଗେଶ୍ୱର ବଳ, ରାଜ୍ୟ ମହିଳା ସଂଗଠନ ସଂପାଦିକା ଶ୍ରୀମତୀ ଅପର୍ଣ୍ଣା ନାୟକ,କନକ ଭଞ୍ଜ, ଭୂବନେଶ୍ୱର ଉପସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ସ୍ପାଇଁ, ସଂପାଦକ ଶ୍ରୀଯୁକ୍ତ ରମାକାନ୍ତ ମଣ୍ଡଳ, ସଂଗଠନ ମୁଖପାତ୍ର ମଳୟ ତ୍ରିପାଠୀ ଶ୍ରୀମତୀ ଇନ୍ଦୁମତୀ ସାହୁ, ଖୋଦ୍ଧାଜିଲ୍ଲା ସଂଗଠନ ତରଫରୁ ବିନୋଦ ବିହାରୀ ପୃଷ୍ଟି, ଯୁବନେତା ଦୁର୍ଗା ପ୍ରସାଦ ଦାସ, କାର୍ଯ୍ୟାଳୟ ସଂପାଦକ ଶୁଭେନ୍ଦୁ ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସରକାର ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ସଂବିଧାନର ଧାରା ୪୭ କୁ ସମ୍ମାନ ଜଣାଇ ରାଜ୍ୟରେ ନିଶାନିବାରଣ ଦିଗରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାପାଇଁ ଦାବୀ ଉପସ୍ଥାପନ କରାଗଲା ।