ନିଯୁକ୍ତିକୁ ମୋହନ ସରକାର ଅଗ୍ରାଧିକାର ଦେଉଛନ୍ତି

ଭୁବନେଶ୍ୱର-: ଲକ୍ଷ୍ୟ ପୂରଣ ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟରେ ଆଗକୁ ମେଗା ନିଯୁକ୍ତି ହେବାକୁ ଯାଉଛି । କେଉଁ ବିଭାଗରେ କେତେ ପଦବି ଖାଲି ଅଛି, କ୍ଷମତା ସଂପନ୍ନ କମିଟିର ଅନୁମତି ମିଳିଛି ନା ନାହିଁ ଏ ସବୁ ତଥ୍ୟ ଦେବାକୁ ଚିଠି କରିଛନ୍ତି ସରକାର । ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ସବୁ ବିଭାଗ ନୋଡାଲ ଅଫିସର ନିଯୁକ୍ତ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପରାମର୍ଶ ଦିଆଯାଇଛି । ଯେଉଁ ପଦବି ପୂରଣର ଅନୁମୋଦନ ମିଳିଛି ନିଯୁକ୍ତି ସଂସ୍ଥାକୁ ଏ ସଂପର୍କରେ ଅବଗତ କରାଇବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦିଆଯାଇଛି । ନିଯୁକ୍ତି ସମ୍ପର୍କିତ ପୋର୍ଟାଲର ଟିକିନିଖି ସମସ୍ତ ତଥ୍ୟ ବିଭାଗଗୁଡ଼ିକ ଅପଲୋଡ଼ କରିବାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ନିଯୁକ୍ତି ନେଇ ଖୁବଶୀଘ୍ର ସଚିବସ୍ତରୀୟ ବୈଠକ ବସିବ ।

ସରକାରୀ ସୂଚନା ଅନୁସାରେ, ପଞ୍ଚାୟତିରାଜ ବିଭାଗରେ ୨୫୨୯, ସ୍କୁଲ ଓ ଗଣଶିକ୍ଷାରେ ୨୧, ୬୦୮ ଓ ସ୍ବାସ୍ଥ୍ୟରେ ୧୧,୩୯୬ ପଦ ଖାଲି ପଡ଼ିଛି । ସେହିଭଳି ଜଳସମ୍ପଦରେ ୨୬୮୨, ଗୃହ- ୧୪ ହଜାର ୧୯୨, ଉଚ୍ଚଶିକ୍ଷାରେ ୬୧୩୬, ପ୍ରାଣୀ ସମ୍ପଦ ୪୨୦୫, କୃଷିରେ ୩୯୬୪, ରାଜସ୍ବ ୫୩୩୯, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗରେ ୩୬୯୭ ପଦବି ଖାଲି ପଡ଼ିଛି । ଅନ୍ୟ ବିଭାଗଗୁଡ଼ିକରେ ମଧ୍ୟ ବହୁ ପଦ ଖାଲି ଅଛି । ଫଳରେ ସରକାରୀ କାର୍ଯ୍ୟରେ ବାଧା ଉପୁଜୁଛି । ସରକାରୀ ସୂଚନା ଅନୁସାରେ, ଗତ ୫ ବର୍ଷରେ ରାଜ୍ୟରେ ୧୨ ଲକ୍ଷ ୧୩ ହଜାର ୯୨୪ ଜଣ ପିଲା ନିଯୁକ୍ତି ପାଇଁ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୩.୧୯ ଲକ୍ଷ ସ୍ନାତକ, ୫୧ ହଜାର ୯୫୬ ସ୍ନାତକୋତ୍ତର, ୪.୨୨ ଲକ୍ଷ ଯୁକ୍ତ ଦୁଇ ଡିଗ୍ରିଧାରୀ ଅଛନ୍ତି । ଏହାଛଡ଼ା ୧.୮୦ ଲକ୍ଷ ମାଟ୍ରିକ୍ ପାସ, ୪୨,୯୧୬ ଡିପ୍ଲୋମାଧାରୀ, ୭୪, ୮୨୭ ଶିକ୍ଷା ତାଲିମଧାରୀ, ୩୩, ୬୯୧ ଆଇଟିଆଇ ପାସ୍‌ ଏବଂ ୧୪, ୭୫୦ ମାଟ୍ରିକ ଫେଲ୍ ପିଲା ଅଛନ୍ତି । ରାଜ୍ୟରେ ଏତେ ସଂଖ୍ୟାରେ ଯୁବକ ଚାକିରି ଅପେକ୍ଷାରେ ଥିବାରୁ ନିଯୁକ୍ତିକୁ ମୋହନ ସରକାର ଅଗ୍ରାଧିକାର ଦେଉଛନ୍ତି ।