ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ଓଡ଼ିଶାରେ ବାତ୍ୟା ‘ଅମ୍ପନ୍’ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ । ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ ମଧ୍ୟ କରିବେ । ମହାବାତ୍ୟା ‘ଅମ୍ପନ’ ଯୋଗୁଁ ରାଜ୍ୟର ୪ଟି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅପରାହ୍ଣରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିବା ପରେ ବାୟୁସେନାର ହେଲିକପ୍ଟର ଯୋଗେ ଉପକୂଳ ଜିଲାଗୁଡ଼ିକର ମହାବାତ୍ୟା ଜନିତ କ୍ଷୟକ୍ଷତିକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ । ପ୍ରଧାନମନ୍ତ୍ରୀଙ୍କ ସହିତ ହେଲିକପ୍ଟରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯିବାର କାର୍ୟ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଅନୁଧ୍ୟାନ କରି ଫେରିବା ପରେ ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ । ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଗତ ରାତିରେ ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ୍(ଏସ୍‌ପିଜି) ପକ୍ଷରୁ ସ୍ଥିତିର ଅନୁଧ୍ୟାନ କରାଯାଇଛି। ଡିଜି (ଇଣ୍ଟେଲିଜେନ୍ସ) ସତ୍ୟଜିତ ମହାନ୍ତି, ଏଡିଜି(ହେଡକ୍ୱାର୍ଟର୍ସ) ସୌମେଦ୍ର ପ୍ରିୟଦର୍ଶୀ, ପୁଲିସ୍‌ କମିଶନର ଏବଂ ଡିସିପି ପ୍ରମୁଖ ଗତକାଲି ଭୁବନେଶ୍ୱର ବିମାନବନ୍ଦର ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ।