ଚନ୍ଦ୍ରାବତରଣ ମିଶନ ବିଫଳ: ଲ୍ୟାଣ୍ଡର ବିକ୍ରମ ସହ ବିଚ୍ଛିନ୍ନ ହେଲା ଯୋଗାଯୋଗ

(ରିପୋଟର୍ସ ଟୁଡେ, ନୂଆଦିଲ୍ଲୀ): ଭାରତର ଚନ୍ଦ୍ରାଭିଯାନ ବିଫଳ ହୋଇଛି । ଇତିହାସ ରଚିବାକୁ ମାତ୍ର କେଇଟା ମୁହୁର୍ତ୍ତ ବାକି ଥିବା ବେଳେ ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୨ଟା୧୫ ମିିନିଟ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ପାଦ ଥାପି ପାରିନାହିଁ । ଫଳରେ ଭାରତର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବା ମିଶନ ବିଫଳ ହୋଇଯାଇଛି । ଶୁକ୍ରବାର ରାତିରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ତା’ ଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇଯାଇଥାନ୍ତା । ଏଥିପାଇଁ ଭାରତୀୟ ମହାକାଶ ଗବେଶଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ଚନ୍ଦ୍ରପୃଷ୍ଠରେ ଏହା ରାସାୟନିକ ବିଶ୍ଲେଷଣ କରିବା ପାଇଁ ଲକ୍ଷ୍ୟ ରହିଥିଲା । ସେଠାରୁ ଚନ୍ଦ୍ରଯାନ-୨ ର ଅର୍ବିଟର ଓ ଲ୍ୟାଣ୍ଡର ଜରିଆରେ ପୃଥିବୀକୁ ତଥ୍ୟ ପ୍ରେରଣ କରିଥାନ୍ତା । ପୁର୍ବରୁ ଚନ୍ଦ୍ରପୃଷ୍ଠରେ ଋଷିଆ, ଆମେରିକା ଓ ଚାଇନାର ଚନ୍ଦ୍ରାଭିଯାନ ସଫଳ ହୋଇଥିବା ବେଳେ ଏମାନଙ୍କ ପରେ ଭାରତ ଚତୁର୍ଥ ରାଷ୍ଟ୍ର ହୋଇଥାନ୍ତା ।
ଜୁଲାଇ ୨୨ରେ ଲଞ୍ଚ ହୋଇଥିବା ଚନ୍ଦ୍ରଯାନ-୨ ରାତି ୧.୫୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ସ୍ପର୍ଶ କରିବାକୁ ମାତ୍ର ୨.୧ କି.ମି ଦୁରତା ଅତିକ୍ରମ କରିବା ବାକି ଥିବା ବେଳେ ଶେଷ ମୁହୁର୍ତ୍ତରେ ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ୯୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚନ୍ଦ୍ରଯାନ-୨ର ସଫଳ ଅବତରଣ ଉପରେ କେବଳ ଭାରତ ନୁହେଁ, ସାରା ବିଶ୍ୱର ବୈଜ୍ଞାନିକ ମାନଙ୍କ ନଜର ରହିଥିଲା । ସମଗ୍ର ଭାରତବାସୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କଣ୍ଠାର ସହ ଏହାକୁ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ । ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ମାତ୍ର ଅଳ୍ପ ଦୁରତା ବାକି ରହିଥିବା ବେଳେ ବୈଜ୍ଞାନିକ ମାନଙ୍କୁ କୌଣସି ସିଗନାଲ ମିଳିପାରି ନଥିଲା । ଫଳରେ ଭାରତର ଚନ୍ଦ୍ରାଭିଯାନ ମିଶନ ଅସଫଳ ହୋଇଥିଲା ।