କଟକ: ଓଡ଼ିଶା ଭିଜିଲାନ୍ସର ଜାଲରେ ପଡ଼ିଛନ୍ତି କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ପରେ ତାଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଅବୈଧ ସମ୍ପତ୍ତି ଜବତ କରାଯାଇଛି। Odisha Vigilance ପକ୍ଷରୁ ମିଳିଥିବା ସୂଚନାନୁସାରେ, ଦେବବ୍ରତ ମହାନ୍ତିଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କା ଜବତ ହୋଇଛି। ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଛି। ଖାଲି ନଗଦ ଟଙ୍କା ନୁହେଁ, ପ୍ରାୟ ୧୩୦ ଗ୍ରାମ ସୁନା ମଧ୍ୟ ଜବତ କରାଯାଇଛି।
ଭୁବନେଶ୍ୱର ପାହାଳ ଅଞ୍ଚଳରେ ୨୪ ଶହ ବର୍ଗଫୁଟ ଅଞ୍ଚଳରେ ଥିବା ଦୁଇ ମହଲା ଘର ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି। ଏହାଛଡ଼ା ୧୫ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି। ଡିଜିଟାଲ ଫୁଟପ୍ରିଣ୍ଟ ଯାଞ୍ଚ ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଅଧିକାରୀମାନେ କହିଛନ୍ତି। ଭିଜିଲାନ୍ସ ଟିମ୍ ତାଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବା ପାଇଁ ପ୍ରସ୍ତୁତି କରୁଛି। ବିଭିନ୍ନ ସ୍ଥାନରେ ଚାଲୁଥିବା ଚଢ଼ାଉ ସମାପ୍ତ ହେଲେ ଆହୁରି ଲକ୍ଷ ଲକ୍ଷ ଟଙ୍କା ଓ ସମ୍ପତ୍ତି ଠାବ ହେବା ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ, ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କୁ କାରବାରରେ ସହାୟତା କରିବା ପାଇଁ ଦେବବ୍ରତ ମହାନ୍ତି ୩୦ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ। ବ୍ୟବସାୟୀ ଏହା ସମ୍ପର୍କରେ ଭିଜିଲାନ୍ସକୁ ଅଭିଯୋଗ କରିବା ପରେ ଟ୍ରାପ୍ ଲଗାଯାଇଥିଲା ଓ ସେ ଧରାପଡ଼ିଥିଲେ। ଜଣେ ଅଧିକାରୀଙ୍କ ଘରୁ ୪ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣାକୁ ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ ବୋଲି କୁହାଯାଉଛି। ଏହି ଘଟଣା ରାଜ୍ୟରେ ଦୁର୍ନୀତି ବିରୋଧୀ ଅଭିଯାନକୁ ନେଇ ପୁନଃ ଚର୍ଚ୍ଚାକୁ ଜୋର ଦେଇଛି।