ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଆଜି ରାଜ୍ୟର ବିଭିନ୍ନ ଜାଗାରେ ବଜ୍ରାଘାତ ଘଟି ୬ ଜଣଙ୍କ ଜୀବନ ଯାଇଛି।

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ସପ୍ତାହେ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଆଜି ରାଜ୍ୟର ପ୍ରାୟ ୨୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅଧିକାଂଶ ଜିଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାରୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଦେଇଛି। ସେହିଭଳି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ିର ଆଶଙ୍କା ରହିଛି। ଏଣୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଏସବୁ ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢ଼େଙ୍କାନାଳ, କଟକ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, ବାଲେଶ୍ୱର, ନୂଆପଡ଼ା, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଜଗତ୍‌ସିଂହପୁର, ଯାଜପୁର, ପୁରୀ, କେନ୍ଦ୍ରାପଡ଼ା ଓ ଭଦ୍ରକ। ଗୁରୁବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ସେପଟେ ଆଜି ରାଜ୍ୟର ବିଭିନ୍ନ ଜାଗାରେ ବଜ୍ରାଘାତ ଘଟି ୬ ଜଣଙ୍କ ଜୀବନ ଯାଇଛି। ଭଦ୍ରକ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ଭଦ୍ରକ ଅଗରପଡ଼ାରେ ଭଗାରାମରେ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବନ୍ତ ବ୍ଲକ ଚାରିଗାଁରେ ଜଣେ ଯୁବକଙ୍କ ବିଜ୍ରପାତରେ ଜୀବନ ଯାଇଛି। ସେହିପରି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପଦୁନା ଗାଁରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୀଳଗିରି ଓଲଡଙ୍ଗରେ ଜଣଙ୍କର ମୃତ୍ୟୁ ହୋଇଛି। ବିଲରେ କାମ କରୁଥିବା ବେଳେ ବିଜୁଳି ଆଘାତ ଲାଗିଥିଲା। ସେହିପରି ଢେଙ୍କାନାଳ ଜିଲ୍ଲା କାମକ୍ଷାନଗରରେ କାନୁଅ ଗାଁରେ ଜଣଙ୍କର ଜୀବନ ଯାଇଛି। କେନ୍ଦ୍ରାପଡ଼ାର ଆଏବା ଗାଁରେ ବି ବଜ୍ରପାତ ଜଣଙ୍କ ଜୀବନ ନେଇଛି। ସମ୍ବଲପୁର ମାନେଶ୍ବର ବ୍ଲକ ତବଲା ଗାଁରେ ବଜ୍ରାଘାତରେ ୩ ଜଣ ଗୁରୁତର ହୋଇଛନ୍ତି। ଲଗାତର ୩ ଦିନ ହେଲା ବଜ୍ରଘାତରେ ରାଜ୍ୟରେ ଜୀବନହାନୀ ଘଟୁଛି, ଯାହା ଚିନ୍ତା ବଢ଼ାଇଛି।