ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ମାନବାଧିକାର ତାଲିମ ଶିବିର

ରାଇରଙ୍ଗପୁର/ ସତ୍ୟାନାରୟଣ ପାଳ: ମୟୂରଭଞ୍ଜ ଜିଲ୍ଲା ଶାଖା ତରଫରୁ ଜିଲ୍ଲାସ୍ତରୀୟ ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ପରିସରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ, ମାନବାଧିକାର ତାଲିମ ଶିବିର କାର୍ୟ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନୀ ସୋରେନ , ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ, ବାରିପଦା ଏଚଆରଏଫ , ଅଧ୍ୟକ୍ଷ ଶ୍ରୀ ମନୋଜ ଜେନା, ଆଡଭୋକେଟ ଡ଼ଃ ମନୀଷା ଦାସ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ରାଜ୍ୟ ଆବାହକ ଡଃ ରାଜୀବ ପଟନାୟକ ଅତିଥି ପରିଚୟଦେବା ସହ କାର୍ୟ୍ୟକ୍ରମର ଆଭିମୁଖ୍ୟ ଉପରେ ସବିଶେଷ ଆଲୋକପାତ କରିଥିଲେ । ମଣିଷ ଜୀବନ ଦୁର୍ଲଭ , ସମ୍ବିଧାନ ସମସ୍ତଙ୍କୁ ସୁସ୍ଥ ସହ ବଂଚିବାର ମୌଳିକ ଅଧିକାର ଦେଇଛି । ଶିଶୁରୁ ଶବ ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ସମ୍ବିଧାନର ୨୧ ଧାରା ରହିଛି । ଅତିଥି ମାନେ ମତ ରଖି ବଂଚିବାର ଅଧିକାର ସମସ୍ତ ମାନବ ସମାଜ ପାଇଁ ଦରକାର । ଜୀବ ଜଗତରେ ମାନବ ଶ୍ରେଷ୍ଠ ପ୍ରାଣୀ ତେଣୁ ସମସ୍ତଙ୍କ ମାନବାଧିକାର ଯେଭଳି କ୍ଷୁର୍ଣ ନ ହୁଏ ସେଥିପାଇଁ ଯତ୍ନଶୀଳ ହେବା ଉଚିତ । ଶିଶୁ, ଯୁବକ, ଯୁବତୀ, ମହିଳା, ବୟସ୍କ, ସଂଖ୍ୟାଲଘୁ, ପଛୁଆ ବର୍ଗ, ଦିବ୍ୟାଙ୍ଗ, କୃଷକ, ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ସଂଗଠିତ ଓ ଅସଂଗଠିତ ଶ୍ରମିକ, ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ୟ୍ୟ କରୁଥିବା କର୍ମଚାରୀ, କିନ୍ନର, ସମସ୍ତଙ୍କ ପାଇଁ ସାମ୍ବିଧାନିକ ଅଧିକାର ଅଛି ।ସମସ୍ତଙ୍କର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ଅଧିକାର ଯେଭଳି କ୍ଷୁର୍ଣ୍ଣ ନ ହୁଏ ସେଥିପାଇଁ ଯତ୍ନଶୀଳ ହେବା ଆବଶ୍ୟକତା ରହିଛି । ଏହାକୁ ନେଇ ଅତିଥିଗଣ ବିଭିନ୍ନ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସାମାଜିକ କର୍ମୀ ମାନଙ୍କୁ ବୁଝାଇବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସେଥିପାଇଁ ଆଇନଗତ ଜ୍ଞାନ ରହିବା ଦରକାର ଓ ସଚେତନତା ହେବା ଦରକାର। ରାଜ୍ୟରେ ଏହି ଅନୁଷ୍ଠାନ ପକ୍ଷରୁ ୧୫୦ ରୁ ଉର୍ଦ୍ଧ୍ବ ଅଭିଯୋଗ ପ୍ରକୋଷ୍ଠ ବିଭିନ୍ନ ବ୍ଲକରେ ଖୋଲାଯାଇ ପିଡିତ ମାନଙ୍କୁ ନ୍ୟାୟିକ ସୁବିଧା ଦେବାପାଇଁ ଅନୁଷ୍ଠାନ ଅଣ୍ଟାଭିଡିଛି । ମାନବାଧିକାର କର୍ମୀମାନେ ପିଡିତ ମାନଙ୍କ ସହିତ ରହି ସେମାନଙ୍କ ସମସ୍ୟା ସମାଧାନ ପାଇଁ ଲାଗି ରହିଛନ୍ତି । ଆଗକୁ ଆହୁରି ଅଧିକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବ ବୋଲି ଆଡଭୋକେଟ ଡଃ ମନୀଷା ଦାସ ପଟ୍ଟନାୟକ ସୂଚନା ଦେଇଥିଲେ ।ଏସଡିପିଓ କହିଥିଲେ ପୋଲିସ ପିଡିତ ମାନଙ୍କ ପ୍ରତି ସହାନୁଭୂତି ଶୀଳ ଦେଖାଇବା ପାଇଁ ତାଙ୍କ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି । କେହି ଯେମିତି ହତାଶ ନ ହୋଇ ନ୍ୟାୟ ପାଇବାରୁ ବଂଚିତ ନ ହୁଅନ୍ତି । ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଥିବା ମାନବଧିକାରକର୍ମି ବା ରକ୍ଷକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ୟ୍ୟକ୍ରମରେ ଜିଲ୍ଲା ସଂଯୋଜକ ଆଡଭୋକେଟ ଅମିତ ବୈଠା, ମିଡ଼ିଆ ପ୍ରଭାରୀ ଶୁଭ୍ରାଂଶୁ ମଣ୍ଡଳ, ମାନଗୋବିନ୍ଦ ମହାନ୍ତ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।ସର୍ବଶେଷରେ କଳ୍ପତରୁ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।