ରାଜସ୍ଥାନର ମନିକା ବିଶ୍ବକର୍ମା ହେଲେ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୫

ଜୟପୁର: ରାଜସ୍ଥାନର ମନିକା ବିଶ୍ବକର୍ମା ହେଲେ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୫ । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିଲା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ । ପୂର୍ବରୁ ୨୦୨୪ ରେ ମନିକାଙ୍କୁ ମିସ୍ ୟୁନିଭର୍ସ ରାଜସ୍ଥାନ ପାଇଁ ଚୟନ କରାଯାଇଥିଲା । ବର୍ତ୍ତମାନ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ର ମୁକୁଟ ଜିତିବା ପରେ ଥାଇଲାଣ୍ଡରେ ହେବାକୁ ଥିବା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବେ ମନିକା । ୧୮ ଅଗଷ୍ଟରେ ଜୟପୁରରେ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ଭାରତର ବିଭିନ୍ନ ସ୍ଥାନରୁ ୪୮ ଜଣ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥିରେ ମନିକା ନିଜ ଆତ୍ମବିଶ୍ୱାସ, ଜ୍ଞାନ ଏବଂ ଆଚରଣ ସମସ୍ତଙ୍କ ଠାରୁ ଭିନ୍ନ ଥିବା ବେଳେ ସମସ୍ତଙ୍କ ମନ ଜିତିଥିଲେ ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ ।

ରାଜସ୍ଥାନର ଗଙ୍ଗାନଗରର ବାସିନ୍ଦା ମନିକା ବିଶ୍ୱକର୍ମା । ଏବେ ସେ  ଦିଲ୍ଲୀରେ ମଡେଲିଂ କରୁଛନ୍ତି । ମନିକା ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଏବଂ ଜଣେ କଳାକାର ମଧ୍ୟ । ସେ ଲଳିତ କଳା ଏକାଡେମୀ ଏବଂ ଜେ.ଜେ ସ୍କୁଲ ଅଫ୍‍ ଆର୍ଟସ୍‍ ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି। କେବଳ ସେତିନି ନୁହେଁ ସେ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଅନ୍ତର୍ଜାତୀୟ ପଦକ୍ଷେପରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ମିସ୍ ୟୁନିଭର୍ସ ଇଣ୍ଡିଆ ହେବା ପରେ ସେ ଏବେ ଏକ ଲମ୍ବା ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ମନିକା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ । ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଟାଇଟଲ ଜିତିବା ପୂର୍ବରୁ ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ରାଜସ୍ଥାନ ୨୦୨୪ର ମୁକୁଟ ପିନ୍ଧିଥିଲେ । ଏହା ପରେ, ସେ ଦିଲ୍ଲୀରେ ମଡେଲିଂରେ ଏଣ୍ଟ୍ରି କରିଥିଲେ । ବଡ଼ କଥା ହେଉଛି ମନିକାଙ୍କୁ ଏହି ବିଜୟ ଖୁସି ଦେବା ସହ ତାଙ୍କ ଦାୟିତ୍ୱ କୁ ବଢ଼ାଇ ଦେଇଛି । ସେ ଚଳିତ ବର୍ଷ ଶେଷସୁଦ୍ଧା ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ । ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ୧୩୦ଟି ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରିବେ । ସେହିପରି ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୫ରେ ୟୁପିର ତାନିୟା ଶର୍ମା, ହରିୟାଣାର ମେହକ ଢିଙ୍ଗ୍ରା ପ୍ରଥମ ଓ ଦ୍ବିତୀୟ ରନର୍ସଅପ ହୋଇଛନ୍ତି ।